ଆସୁଛି ବାତ୍ୟା : ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା; ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

2,340

କନକ ବ୍ୟୁରୋ : ଆସୁଛି ବାତ୍ୟା । ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‌ଏହି ଲଘୁଚାପ ବାତ୍ୟାର ରୂପ ନେବ ନା ଗଭୀର ଅବପାତରେ ସୀମିତ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉନଥିବାରୁ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି ।

ଭାରତୀୟ ପାଣିପାଗ କେନ୍ଦ୍ରର ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ଏବେ ସୁଦ୍ଧା ପ୍ରାୟ ସ୍ପଷ୍ଟ ହେଲାଣି । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପ‌ଷ୍ଟ ହୋଇନି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ର ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭% ପର୍ଯ୍ୟନ୍ତ ସଙ୍କେତ ରହିଛି। ଏହା ଯଦି ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଆସନ୍ତା ୨ରୁ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କ’ଣ ରହିବ, ତାହା ଜଣାପଡ଼ିବ । ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେଉନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ସେ ବାବଦରେ ସ୍ପଷ୍ଟ କହିହେବ । ତେବେ ଆସନ୍ତା ୪ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷକରି ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ‌ଶ୍ରୀ ମହାପାତ୍ର କହିଛନ୍ତି ।

ଅପରପକ୍ଷେ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖି ଆଜି ସ୍ବତନ୍ତ୍ର ରିଲିଫ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି। ଏସ୍‌ଆର୍‌ସି ଲେଖିଛନ୍ତି ଯେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ସମସ୍ତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଡିସେମ୍ବର ୨ ଓ ୩ତାରିଖରେ ବର୍ଷା ହୋଇପାରେ। ଏହାସହ ୨ତାରିଖରୁ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ୭୦କିମି ବେଗରେ ପବନ ବହିବାର ଥିବାରୁ ମତ୍ସ୍ୟଜୀବୀମାନେ ଏହା ପୂର୍ବରୁ ସମୁଦ୍ରରୁ ଫେରିଆସିବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିଛି। ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଦାରିଙ୍ଗବାଡ଼ିରେ ୯.୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୭.୬ ଡିଗ୍ରି ଓ କଟକରେ ୧୬.୮ ଡିଗ୍ରି ରେକର୍ଡ ହୋଇଛି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶ‌ାରେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ପାରଦ ତଳକୁ ଖସିଛି। ତଥାପି ଏହି ସମୟରେ ରାଜ୍ୟର ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ଅଧିକ ରହିଛି ।

ଫୁଲବାଣୀରେ ସ୍ବାଭାବିକ ଠାରୁ ୪.୧ ଡିଗ୍ରି, ଗୋପାଳପୁରରେ ୩.୨, ବଲାଙ୍ଗୀରରେ ୩, ସମ୍ବଲପୁରରେ ୨.୧, ଭବାନୀପାଟଣା ୨, କଟକ‌ ୧.୨ ଓ ଭୁବନେଶ୍ବରରେ ୧.୧ ଡିଗ୍ରି ସେଲ୍‌ସିୟସ୍‌ ଲେଖାଏଁ ଅଧିକ ରହିଛି । ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣା ଓ ମାଲକାନଗିରିରେ ମଧ୍ୟମ ଧରଣର କୁହୁଡ଼ି ଓ କୋରାପୁଟ, ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପା‌ଗ ଶୁଖିଲା ଓ ଖରାଟିଆ ରହିବ। ୨ ତାରିଖ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବା ସହ ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।