ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଶ୍ରୀହୀନ କରିଦେଲା ବାତ୍ୟା । ଭାଙ୍ଗି ପଡିଛି ଶହ ଶହ ସଂଖ୍ୟାରେ ଗଛ । ଉଡିଯାଇଛି ପୀଠରେ ଥିବା ଦୋକାନ ଘରର ଟିଣ ଛପର

91

କନକ ବ୍ୟୁରୋ: ବାତ୍ୟା ଫୋନିରେ ଛାରଖାର ହୋଇଯାଇଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର । ଫୋନି ମାଡରେ ଭାଙ୍ଗି ଯାଇଛି ଶହ ଶହ ସଂଖ୍ୟାରେ ବଡ ବଡ ଗଛ । ରାସ୍ତା ଉପରେ ପଡି ରହିଛି ଭଙ୍ଗା ଗଛ । ଆକାଶକୁ ଚାହିଁ ରହିଛି କେବଳ ଥୁଂଟା ଗଛ । ଏହା ସହିତ ପୀଠରେ ଥିବା ଦୋକାନଘର ଗୁଡିକର ଛପର ମଧ୍ୟ ଉଡାଇ ନେଇଛି ବାତ୍ୟା । ବିଦ୍ୟୁତ୍ ଖୁଂଟ ଭାଙ୍ଗିବା ସହ ତାର ଛିଡି ତଳେ ପଡିଛି । ଲାଇଟ ପୋଷ୍ଟ ମଧ୍ୟ ଭାଙ୍ଗି ଯାଇଛି । ଅନ୍ଧକାର ଭିତରେ ରହିଛନ୍ତି ପ୍ରଭୁ ଧବଳେଶ୍ୱର । ତେଣୁ ଧବଳେଶ୍ୱରଙ୍କ ଦର୍ଶନ କରିବା ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି ।

କଟକ ଜିଲ୍ଲାର ଅନ୍ୟତମ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ତାଣ୍ଡବ ରଚିଛି ବାତ୍ୟା ଫୋନି । ଧବଳେଶ୍ୱରଙ୍କ ପୀଠରେ ଥିବା ଶହ ଶହ ବର୍ଷର ପୁରୁଣା ଗଛଗୁଡିକ ଉପୁଡି ଯିବା ସହ ମନ୍ଦିର ପରିସରରେ ଥିବା ଭୋଗ ଦୋକାନଗୁଡିକର ଟିଣ ଛପର ଉଡାଇନେଇଛି ବାତ୍ୟା । ମହାନଦୀ ଗର୍ଭରେ ଥିବା ଧବଳେଶ୍ୱରଙ୍କ ପୀଠ ଏକ ପ୍ରକାର ଶ୍ରୀହୀନ ପାଲଟି ଯାଇଥିବା ବେଳେ ଧବେଳଶ୍ୱରଙ୍କୁ କୃପାରୁ ମନ୍ଦିର, ଝୁଲାପୋଲ ଏବଂ ମନ୍ଦିର ଚର୍ତୁପାଶ୍ୱରେ ଥିବା ଘର ଗୁଡିକ ରକ୍ଷା ପାଇଯାଇଛି ।

ସେହିଭଳି ମନ୍ଦିର ଯିବା ରାସ୍ତାରେ ପଡିରହିଛି ଭଙ୍ଗା ଗଛ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଗଛ ଭାଙ୍ଗି ପଡିରହିଛି ରାସ୍ତା ଉପରେ । କେବଳ ଗଛ ନୁହେଁ ଉଡିଯାଇଛି ଠାକୁରଙ୍କ ଭୋଗ ଦୋକାନ ଟିଣ ଆଉ ଛପର । ବାଧାପ୍ରାପ୍ତ ହୋଇଛି ବୁଦ୍ୟୁତ ସେବା । ତାର ଛିଡି ତଳେ ପଡିରହିଛି । ଯେଉଁଥିପାଇଁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ସମସ୍ୟା ଦେଖାଦେଇଛି ।