ଭୟ ବଢାଉଛି ‘ଫୋନି’: ପୁରୀଠୁ ୫୧୦ କିଲୋମିଟର ଦୂରରେ ରହିଛି ବାତ୍ୟା, ଘଂଟାପ୍ରତି ୭ କିଲୋମିଟର ବେଗରେ କରୁଛି ଗତି

ଆସନ୍ତାକାଲି ସଂଧ୍ୟା ସାଢେ ୫ରେ ପୁରୀ ନିକଟରେ କରିବ ଲ୍ୟାଣ୍ଡଫଲ; ପୁରୀ ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ଅତିକ୍ରମ କରିବ ଓଡିଶା

760

କନକ ବ୍ୟୁରୋ: ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ-‘ଫୋନି’ ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ । ବାତ୍ୟା, ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା ଫୋନି ଏବେ ପୁରୀଠାରୁ ୫୧୦ କିଲୋମିଟର , ବିଶାଖପାଟଣାରୁ ୩୫୦ କିମି ଦୂରରେ ରହିଛି । ଏବେ ଏହା ଘଂଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ବର୍ତମାନ ସମୁଦ୍ର ଭିତରେ ପବନର ବେଗ ୧୦୩ କିମି ରହିଛି ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିପାରେ । ଏହାପରେ ବାତ୍ୟା ଖୋର୍ଦ୍ଧା, କଟକ, ଯାଜପୁର ଓ ଭଦ୍ରକ ଦେଇ ଗତି କରିବ । ପରେ ଭଦ୍ରକରୁ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ମୁହାଁଇବ ବାତ୍ୟା ଫୋନି । ତେବେ ଗୁରୁତ୍ୱପୂଣ୍ଣ କଥା ହେଉଛି ବର୍ତମାନ ରାଡାର ରେଂଜ୍ ଭିତରକୁ ଆସିଯାଇଛି ବାତ୍ୟା ଫୋନି । ଫଳରେ ବାତ୍ୟାର ଆଗାମୀ ଗତି ଓ ଦିଗ ନେଇ ତୁରନ୍ତ ଏବଂ ସଠିକ୍ ସୂଚନା ମିଳିପାରିବ । ଫୋନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ ।

 

ଅନ୍ୟପଟେ, ସାମୁଦ୍ରିକ ଝଡ ଫୋନି ଓଡିଶାରେ ଲ୍ୟାଣ୍ଡଫଲ କରିବା ପରେ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର । କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା ଆଂଶିକ କ୍ଷତିଗ୍ରସ୍ତ ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଅନୁମାନ କରାଯାଇଛି । ତେବେ ଆଜିଠାରୁ ପବନର ବେଗ ବଢିବ ଏବଂ ଉପକୂଳବର୍ତି ୧୧ଟି ଜିଲ୍ଲାକୁ ସାମୁଦ୍ରିକ ଝଡ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୨ ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଏବଂ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କନ୍ଧମାଳ, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ ଏସବୁ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ୩ ତାରିଖରେ ବୌଦ୍ଦ, କଳାହାଣ୍ଡି, ସମ୍ବଲପୁର ଏବଂ ଦେଓଗଡରେ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।