ଶନିବାର ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ୪ରେ ନେବ ସିଭିୟର ସାଇକ୍ଲୋନର ରୂପ, ୩ ରାତିରୁ ପ୍ରବଳ ବର୍ଷା ।

435

କନକ ବ୍ୟୁରୋ : ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ତାରିଖରେ ବାତ୍ୟା ‘ଯୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଏବଂ ୪ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ । ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଧିରେ ଧିରେ ବଳ ଗୋଟାଇ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଅର୍ଥାତ ଅତି ପ୍ରବଳ ସାମୁଦ୍ରିକ ଝଡର ରୂପ ନେବ । ପବନର ଗତି ଘଣ୍ଟା ପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି ।

ପୁଣି ଡରାଇଲା ବାତ୍ୟା । ୪ରେ ଛୁଇଁବ ଉପକୂଳ । ଦକ୍ଷିଣ ଥାଇଲାଣ୍ଡ ସମୁଦ୍ରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଧିରେ ଧିରେ ଆହୁରି ଶକ୍ତିଶାଳୀ ହେଉଛି । ଉପଗ୍ରହରୁ ନିଆଯାଇଥିବା ଚିତ୍ର ଏହାର ଅବସ୍ଥିତିକୁ ଆହୁରି ସ୍ପଷ୍ଟ କରୁଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସମୁଦ୍ରରେ ଶକ୍ତି ସଂଗ୍ରହ କରିବା ସହ ଆଣ୍ଡାମାନ ସାଗର ମୁହାଁ ହୋଇଛି ଲଘୁଚାପ । ୧୨ ଘଣ୍ଟା ଭିତରେ ଏହା ଆଣ୍ଡାମାନ ସାଗରରେ ଦେଖାଦେବ । ତାପରେ ପଶ୍ଚିମ-ଉତ୍ତର ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଡିସେମ୍ବର ୨ତାରିଖ ବେଳକୁ ଅବପାତର ରୂପ ନେବ । ୩ତାରିଖରେ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ପରେ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇ ଡିସେମ୍ବର ୪ତାରିଖ ସକାଳୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ନିକଟ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ପ୍ରଭାବରେ ୩ତାରିଖରୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୩ରେ ବର୍ଷା ସାଙ୍ଗକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୪ରେ ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡା, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, ନୟାଗଡରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ୪ତାରିଖରେ ବର୍ଷା ଓ ପବନର ବେଗ ବଢ଼ିବ । ପବନର ବେଗ ଘଂଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ବାତ୍ୟା ସୃଷ୍ଟି ହେଲା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୪ତାରିଖରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ମୁହାଁ ହେବାର ସମ୍ଭବନା ରହିଛି । ଯଦି ଏପରି ହୁଏ ତେବେ ଓଡିଶାରେ ହୁଏତ ପ୍ରଭାବ ଟିକେ କମିପାରେ ।