ଆସୁଛି ବାତ୍ୟା ! ଜାଣନ୍ତୁ କେଉଁ ଦିନ କେଉଁଠି ହେବ ବର୍ଷା ? ସତର୍କ କଲା ପାଣିପାଗ ବିଭାଗ

448

କନକ ବ୍ୟୁରୋ : ପୁଣି ଓଡ଼ିଶାକୁ ବାତ୍ୟା ବିପଦ । ଚଳିତ ବର୍ଷର ଦ୍ବିତୀୟ ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ । ୧୮୯୧ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ । ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ ।

ପାଣିପାଗ ବିଭାଗର ସୂଚନା ମୁତାବକ, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ୨ ତାରିଖ ଦିନ ଅବପାତର ରୂପ‌ ନେବ । ପରବର୍ତୀ ୨୪ ଘଣ୍ଟାରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ୩ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ସାମୁଦ୍ରିକ ଝଡ଼’ ରୂପ ନେବ । ଏହାପରେ ଦିଗ ବଦଳାଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସମୁଦ୍ର ଭିତରେ ଅଧିକ ବଳ ଗୋଟାଇବ ଓ ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୨ ତାରିଖରୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିବ । ୨ ତାରିଖ ଦିନ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ ଓ ଘଣ୍ଟାପ୍ରତି ୭୦ କିମି ବେଗରେ ବେଳେ ବେଳେ ଝଟକା ଦେବ ।

୩ ତାରିଖ ଭୋର୍‌ରୁ ସମୁଦ୍ର ଅଧିକରୁ ଅଧିକ ଅଶାନ୍ତ ହେବାକୁ ଲାଗିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ଯୋଗୁଁ ପବନର ବେଗ ୬୫ରୁ ୭୫ କିମିକୁ ବୃଦ୍ଧି ପାଇବ। ଏହି ସମୟରେ ପବନର ଝଟ୍‌କା ୮୫ କିମି ରହିବ। ୪ ତାରିଖ ଦିନ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହି ସମୟରେ ପବନର ଝଟ୍‌କା ଘଣ୍ଟାପ୍ରତି ୧୧୦ କିମି ପର୍ଯ୍ୟନ୍ତ ଅନୁଭୂତ ହେବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଙ୍କୁ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଡିଜି ଶ୍ରୀ ମହାପାତ୍ର ।

୩ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଏଣୁ ଏହି ୪ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିନ୍ତୁ ୪ ଓ ୫ ତାରିଖ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁରରେ ଅତିପ୍ରବଳ ବର୍ଷା ହେବ। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଣୁ ପାଚିଯାଇଥିବା ଧାନକୁ ଅମଳ କରିବା ସହ ଅମଳ ପରେ ଗହୀରରେ ପଡ଼ି ରହିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ମୁଗ, ବିରି, ସୋରିଷ ଭଳି ରବି ଫସଲ ଓ ଆଳୁ, ପିଆଜ ଓ ଧନିଆ ଭଳି ପନିପରିବା ତଥା ଅମୃତ ଭଣ୍ଡା ଓ କଦଳୀ ଭଳି ଫଳର ତଳି ନ ବୁଣି ଏବେ ସ୍ଥଗିତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖି ୩ରୁ ୫ ଦିନ ପାଇଁ ଖାଦ୍ୟ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି ।