କନକ ବ୍ୟୁରୋ : ବାତ୍ୟା ଫୋନିର ଲ୍ୟାଣ୍ଡଫଲ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା । ପ୍ରଥମେ କୁହାଗଲା ଶୁକ୍ରବାର ସନ୍ଧ୍ୟା ସାଢେ ୫ଟାରେ ଫୋନି ଲ୍ୟାଣ୍ଡଫଲ କରିବ । ପରେ କୁହାଗଲା ସକାଳ ୧୨ ଟା ଏବଂ ଏଯାଏଁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ୮ ରୁ ୧୦ ଟା ଭିତରେ ପୁରୀରେ ସ୍ଥଳଭାଗ ଛୁଇଁବ ଫୋନି ।
ବଦଳୁଛି ‘ଫୋନି’ ଲ୍ୟାଣ୍ଡଫଲର ସମୟ । ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୧୨ ଘଂଟା ମଧ୍ୟରେ ଦୁଇ ଦୁଇ ଥର ସମୟ ବଦଳାଇଛି ବାତ୍ୟା ଫୋନି । ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହୋଇଛି ଆଉ ତୀବ୍ର ହୋଇଛି ବାତ୍ୟାର ଗତି । ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୮ଟାରୁ ୧୦ଟା ମଧ୍ୟରେ ପୁରୀ ନିକଟରେ ଫୋନି ଲ୍ୟାଣ୍ଡଫଲ କରିବ । ତେବେ ମଧ୍ୟାହ୍ନ ୧୨ ଟା ଯାଏଁ ବାତ୍ୟାର ପ୍ରଭାବ ଜାରି ରହିବ । ଅର୍ଥାତ୍ ପ୍ରାୟ ୪ ଘଂଟା ଯାଏଁ ରହିପାରେ ଫୋନିର ଆତଙ୍କ ।
ମାଡି ଆସୁଛି ବାତ୍ୟା ‘ଫୋନି’ । ପୂର୍ବ ନିର୍ଦ୍ଧାରିତ ସମୟର ୮ ଘଂଟା ପୂର୍ବରୁ ହେବ ଲ୍ୟାଣ୍ଡଫଲ୍ । ବୁଧବାର ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ ଆକଳନ କରି କହିଲା, ବାତ୍ୟା ଫୋନି ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ । ଆଉ ଗୁରୁବାର ସକାଳୁ ବଦଳିଯାଇଥିଲା ଫୋନିର ମିଜାଜ । ଗତି ଘଂଟାପ୍ରତି ୬ କିଲୋମିଟରରୁ ବଢି ୧୩ କିଲୋମିଟର ହୋଇଯାଇଥିଲା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ମୁଖପାତ୍ର ସୂଚନା ଦେଲେ, ବାତ୍ୟା ଫୋନି ଶୁକ୍ରବାର ସନ୍ଧ୍ୟା ସାଢେ ୫ଟା ବଦଳରେ ସକାଳ ୧୦ରୁ ୧୨ଟା ମଧ୍ୟରେ ପୁରୀ ଉପକୂଳ ଛୁଇଁବ । ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ସମୟର ୮ ଘଂଟା ପୂର୍ବରୁ ଫୋନି କରିପାରେ ଲ୍ୟାଣ୍ଡଫଲ । କେତେବେଳେ ଗତି ତ ଆଉ କେତେବେଳେ ଦିଗ ବଦଳାଉଛି ଫୋନି । ସମୁଦ୍ର ଭିତରେ ଥିବା ବେଳେ ଆକଳନ କରାଗଲା, ବାତ୍ୟା, ତାମିଲନାଡୁ କିମ୍ବା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ । ପରେ ଓଡିଶା ଆଡେ ମୁହଁ ମୋଡିଥିଲା ଫୋନି ।