ଡରାଉଛି ‘ଫୋନି’ ! ଲ୍ୟାଣ୍ଡଫଲ୍ ବେଳେ ୧୮୫ କିମି ବେଗରେ ବୋହିବ ପବନ, ମାଡି ଆସିବ ଦେଢ ମିଟର ଉଚ୍ଚ ଜୁଆର । ପ୍ରବଳ ବର୍ଷା ସହ କ୍ଷୟକ୍ଷତିର ସମ୍ଭାବନା । 

1,295

କନକ ବ୍ୟୁରୋ : ବାତ୍ୟା ‘ଫୋନି’କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ସ୍ଥଳଭାଗ ଛୁଇଁବା ବେଳକୁ ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବୋହିବ । ଆଉ ସବୁଠାରୁ ବଡ କଥା ହେଉଛି ସମୁଦ୍ରରୁ ଦେଢ ମିଟର ଉଚ୍ଚର ଜୁଆର ମାଡି ଆସିବ । ପବନ ସହ ଅତି ପ୍ରବଳ ବର୍ଷା ଲାଗି ରହିବ । ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରରେ ବ୍ୟାପକ କ୍ଷତି ଘଟିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ବି ବ୍ୟାପକ କ୍ଷତି ଘଟିବ । କଚା ଘର, ପୁରୁଣା କୋଠା ଘର, ବିଜୁଳି ଖୁଣ୍ଟ, ଗଛ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ଅର୍ଥାତ ୧ ତାରିଖ ସୁଦ୍ଧା ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେୁଉଛି, ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଓଡିଶା ମୁହାଁ ହେଉଛି ବାତ୍ୟା ଫୋନି । ଘଂଟାକୁ ୨୨ କିଲୋମିଟର ବେଗରେ ଏହା ଗତି କରୁଛି । ୩ ତାରିଖ ସଂଧ୍ୟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୁରୀରୁ ୮୦୦ କିଲୋମିଟର ଦୂରରେ ରହିଛି ଏହି ସାମୂଦ୍ରିକ ଝଡ ଫୋନି । ଆଗାମି ୧୨ ଘଂଟା ମଧ୍ୟରେ ଏହା ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମର ରୂପ ନେବ ।

ସ୍ଥଳଭାବ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୫ ରୁ ୧୮୫ କିଲୋମିଟର ରହିବ । ଏହା ୨୦୫ ମଧ୍ୟ ଛୁଇଁପାରେ ।  ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଛି ।  ଗତ ୬ ଘଂଟା ହେବ ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ୧ ତାରିଖ ସଂଧ୍ୟା ଠାରୁ ଫୋନି ଉତ୍ତର-ଉତ୍ତର ପୂର୍ବ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ ବୋଲି ଅନୁମାନ କରୁଛି ଆଇଏମଡି । ୪ ତାରିଖ ସକାଳ ସାଢେ ୫ଟାରୁ ଏହା ଧିରେ ଧିରେ ଦୁର୍ବଳ ହେବ ।