କନକ ବ୍ୟୁରୋ: ୩ ଘଂଟା ଧରି ଚାଲିବ ସାମୁଦ୍ରିକ ବାତ୍ୟା ‘ଫୋନି’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୩ ଘଂଟା ଧରି ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ ବାତ୍ୟା ଫୋନିର ଏହି ପ୍ରକ୍ରିୟା । ପୁରୀରେ ବର୍ତ୍ତମାନ ବାତ୍ୟାର ଲ୍ୟାଣ୍ଡଫଲର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାତ୍ୟା ପ୍ରଭାବରେ ଘଂଟା ପ୍ରତି ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ଅନୁଭୁତ ହେଉଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ମୁତାବକ, କ୍ଷୀପ୍ର ଗତିରେ ଓଡିଶା ପ୍ରତି ମାଡି ଆସୁଥିବା ସାମୁଦ୍ରିକ ବାତ୍ୟା ଫୋନି ବର୍ତ୍ତମାନ ପୁରୀଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୭୫ କିଲୋମିଟର ବେଗରେ ପୁରୀ ଆଡକୁ ମାଡି ଆସୁଛି ଭୟଙ୍କର ବାତ୍ୟା ଫୋନି । ଏହି ପ୍ରରିପେକ୍ଷୀରେ ଲ୍ୟାଣ୍ଡଫଲର ପ୍ରଭାବ ମଧ୍ୟ ଆରମ୍ଭ ହୋଇସାରିଛି । ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ସେପଟେ ଫୋନିର ପ୍ରଭାବରେ ବଡ ବଡ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି।
ସେପଟେ, ଫୋନି ପାଇଁ ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏମନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲେ ବି, ଏହା ବିଫଳ ହୋଇଛି। ଏବେବି ବହୁ ସଂଖ୍ୟରେ ଲୋକ ସ୍ଥାନାନ୍ତର ହୋଇପାରି ନାହାନ୍ତି। ପୁରୀରେ ଘଣ୍ଟାପ୍ରତି ପବନର ବେଗ ୧୭୫ କିଲୋମିଟର ହାରରେ ବୋହୁଛି। ଗୁରୁବାର ଠାରୁ ଶୁକ୍ରବାର ସକାଳ ୭ଟା ସୁଦ୍ଧା ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯଦିଓ ଲ୍ୟାଣ୍ଡଫଲ୍ ହୋଇ ନାହିଁ କିନ୍ତୁ ଏହାର ପୂର୍ବାଭାସ ମିଳିସାରିଛି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ଅନୁମାନ କରାଯାଉଛି। ଏହା ଯେକୌଣସି ସମୟରେ ଲ୍ୟାଣ୍ଡଫଲ କରିପାରେ।
ତେବେ ‘ଫୋନି’ ପୂରା ସ୍ଥଳଭାଗକୁ ଆସିବା ପରେ ତାର ପ୍ରକୋପ କମିବା ଆରମ୍ଭ କରିବ। ହେଲେ ଏହି ପ୍ରକ୍ରିୟା ଶେଷ ହେବା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ସମୟ ଲାଗିଯାଇପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ହିସାବ ଅନୁସାରେ ଏହା ସକାଳ ୮ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ଗତକାଲିଠାରୁ ଫୋନିର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିସାରିଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ବହୁ ଜୋରରେ ପବନ ମଧ୍ୟ ବହୁଛି ।