ଭୟରେ ଥରୁଛି ତାମିଲନାଡୁ । ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ଝଡ଼ ‘ଫାନୀ’, ଦକ୍ଷିଣ ଆନ୍ଧ୍ରକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ।

610

କନକ ବ୍ୟୁରୋ: ତାମିଲନାଡୁ ପାଇଁ ସତର୍କ ଘଣ୍ଟି । ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ କରାଳ ରୂପ ନେବ ବାତ୍ୟା ‘ଫାନୀ’ । ତେବେ ଭାରତୀୟ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫାନୀ’ ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ଯାହାକି ଆସନ୍ତା ୧୨ରୁ ୧୬ ଘଣ୍ଟା ମଧ୍ୟରେ ଭାରତ ମହାସାଗରକୁ ଛୁଇଁବା ପରେ ଭୟଙ୍କର ରୂପ ଧାରଣ କରିପାରେ ବୋଲି ତାମିଲନାଡୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଏହା ପ୍ରଭାବରେ ଆସନ୍ତା କାଲିଠାରୁ ପବନର ବେଗ ଧିରେ ଧିରେ ବଢ଼ିବାକୁ ଥିବାବେଳେ ମଙ୍ଗଳବାର ସୁଦ୍ଧା ପବନର ବେଗ ଘଣ୍ଟାକୁ ୧୪୦ରୁ ୧୫୦ ହୋଇପାରେ ବୋଲି ସୂଚନା ମିଳିଛି । ଏପରିକି କେରଳର ବିଭିନ୍ନ ସ୍ଥାନରେ ସୋମବାର ଓ ମଙ୍ଗଳବାରରେ ବର୍ଷା ମଧ୍ୟ ହୋଇପାରେ ।

ଅନ୍ୟପଟେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଏହି ଝଡ଼ ବର୍ଷା ହେବାର ସମ୍ଭାବନା ଅଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅପରପକ୍ଷେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ସାମୁଦ୍ରିକ ଝଡ଼ ଫାନୀ ଦ୍ୱାରା ଓଡ଼ିଶାକୁ କିଛି ବିପଦ ନାହିଁ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।