୩ ତାରିଖରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ‘ଫୋନି’ ! ରାଡ଼ାରକୁ ଆସିଲେ ପ୍ରତି ୧୦ ମିନିଟରେ ଜାଣିହେବ ଏହାର ଗିତିବିଧି ।

455

କନକ ବ୍ୟୁରୋ: ଆସନ୍ତା ୩ ତାରିଖ ଶୁକ୍ରମାବର ସନ୍ଧ୍ୟାରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରକି ଝଡ଼ ‘ଫୋନି’ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ ସୁଦ୍ଧା ପୁରୀ ପାଖରେ ‘ଫୋନି’ ସ୍ଥଳଭାଗ ଛୁଇଁବ । ସବୁଠାରୁ ବଡ଼କଥା ହଲା କି, ବାତ୍ୟା ‘ଫୋନି’ ରାଡ଼ାର ଭିତରକୁ ଆସିଲେ ପ୍ରତି ୧୦ ମିନିଟ ମଧ୍ୟରେ ଏହାର ଅବସ୍ଥିତି ଜାଣି ହେବ ବୋଲି କହିଛନ୍ତି ଏସଆରସି ।

ସେହିପରି ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ‘ଫୋନି’ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଗତି କରିବ ବୋଲି ଜଣାପଡ଼ିଛି । ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଏନଡ଼ିଆରଏଫର ୨୮ଟି ଟିମ୍ ନିୟୋଜିତ ରହିଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୁରୀରେ ସବୁଠାରୁ ବଡ଼ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ୧ଲକ୍ଷ ୪ ହଜାର ୩୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଆସନ୍ତା କାଲି ଦିନ ୧୨ଟା ସୁଧା ସ୍ଥାନାନ୍ତର ପ୍ରକ୍ରିୟା  ଆରମ୍ଭ କରାଯିବ ।

ସେହିପରି ଯୋଗାଣ ବିଭାଗ ପକ୍ଷରୁ ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତି ଚାଲିଛି । ସବୁଠାରୁ ବଡ଼ କଥା ହେଲା ଯେ’ ଉଗ୍ର ରୂପ ଧାରଣ କରୁଥିବା ‘ଫୋନି’ ପ୍ରଭାବରେ ଆସନ୍ତା କାଲିଠାରୁ ବର୍ଷା ଆରମ୍ଭ ହୋଇଯିବ । ତେଣୁ ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ବର୍ତ୍ତମାନ ‘ଫୋନି’ ବିଶାଖାପାଟଣା ଠାରୁ ୩୯୦ କିଲୋମିଟର ଏବଂ ପୁରୀ ଠାରୁ ୬୨୦ କିଲୋମିଟର ଦୂରରେ ରହିଛି ।