ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ଫୋନି’ । ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଗତି କରିବ ବାତ୍ୟା । ୭ଟି ରାଜ୍ୟକୁ  ଆଡଭାଇଜରି ଜାରି । 

1,091

କନକ ବ୍ୟୁରୋ : ଭାରତୀୟ ସ୍ୟାଟେଲାଇଟ୍ ଦ୍ୱାରା ନିଆଯାଇଥିବା ଚିତ୍ର ସାଇକ୍ଲୋନ ଫୋନିର ବାସ୍ତବ ସ୍ଥିତି ଦର୍ଶାଉଛି । ଚେନ୍ନାଇ ଠାରୁ ୮୪୦ କିଲୋମିଟର ଏବଂ ମଛଲିପଟନମ ଠାରୁ ୯୯୦ କିଲୋମିଟର ଦୁରରେ ଥିବା ଏହି ବାତ୍ୟା, ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୁପ ନେଇ, ଘଂଟାକୁ ପ୍ରାୟ ୧୧ କିଲୋମିଟର ବେଗରେ ଭାରତର ପୂର୍ବ ଉପକୁଳ ଆଡକୁ ମୁହାଁଇଛି । ଅର୍ଥାତ ତାମିଲନାଡୁ  ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୁଳ ଦେଇ ଏହି ବାତ୍ୟା ଗତି କରିବ । ପାଣିପାଗ ବିଭାଗର କହିବାନୁସାରେ, ୩୦ ତାରିଖ ଆର୍ଥାତ ଆସନ୍ତାକାଲି ସୁଦ୍ଧା ଏହି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୁପ ନେବ ।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ମେ ୦୨ ତାରିଖ ସୁଦ୍ଧା ଏହି ବାତ୍ୟା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୁପ ନେବ । ଏହି ସମୟରେ ପବନର ଗତି ୧୭୦ରୁ ୧୯୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ୩ ତାରିଖ ବେଳକୁ ଏହାର ପ୍ରଭାବ ଧିରେ ଧିରେ ହ୍ରାସ ପାଇବ । କିନ୍ତୁ ବାତ୍ୟା କେଉଁଠି ମାଡ କରିବ କିମ୍ବା ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଏହି ବାତ୍ୟା ତାମିଲନାଡୁରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଥିଲା । କିନ୍ତୁ ପରେ ପରେ, ଏହାର ଗତିପଥ ବଦଳି ଗଲା । ଏବେ ଏହା ପୂର୍ବ ଉପକୁଳ ଆଡକୁ ମୁହାଁଇ ଥିବାରୁ ଓଡିଶାରେ ଏହାର ପ୍ରଭାବ ପଡିବା ନିଶ୍ଚିତ ହୋଇଯାଇଛି । ତେବେ ବର୍ତମାନ ସମସ୍ତଙ୍କ ନଜର ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ । ଓଡିଶାରେ ଲ୍ୟାଣ୍ଡଫଲ କରିପାରେ କି? ଏଭଳି ସମ୍ଭାବନା ଉପରେ ମଧ୍ୟ ନଜର ରଖାଯାଇଛି ।

ସେପଟେ ଏନଡିଆରଏଫ ଏବଂ ଭାରତୀୟ କୋଷ୍ଟଗାର୍ଡକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ସଂପୃକ୍ତ ବିଭାଗ ଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଭାବିତ ହେବାକୁ ଥିବା ରାଜ୍ୟସହ ମିଶି କାମ କରିବାକୁ ପରାମର୍ଶ ଦେଇଛନ୍ତି । ବଙ୍ଗେପସାଗରରେ ବାତ୍ୟାର ଏହି ସ୍ଥିତି ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ବାତ୍ୟା ଫୋନି ଏକ ବିରଳ ବାତ୍ୟା ବୋଲି ଜଣାପଡିଛି । ବିଷୁବ ରେଖା ଉପରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଶ୍ରୀଲଙ୍କା ଉପକୂଳରୁ ଡେଇଁ ଭାରତ ଦକ୍ଷିଣ ଉପକୂଳରେ ପହଂଚିଛି । ଏହା ଧିରେ ଧିରେ କର୍ଣ୍ଣାଟକ, ତାମିଲନାଡୁ ଉପକୂଳ ଡେଇଁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଆନ୍ଧ୍ର ଉପକୂଳ ଡେଇଁ ଓଡିଶା ଉପକୂଳରେ ଗତି କରିବାର ସମ୍ଭାବନା ରହିଛି । ତେବେ ଏହା ଓଡିଶା ଉପକୂଳରେ ଛୁଇଁଲେ ଏକ ବିରଳ ଘଟଣା ହେବ । ପ୍ରଥମତଃ ମେ’ ମାସରେ ପ୍ରଥମ ଥର ପାଇଁ ଏଭଳି ଏକ ବାତ୍ୟା ଓଡିଶା ଆସୁଛି । ଦ୍ୱିତୀୟତଃ ଏତେ ଦୀର୍ଘ ବାଟ ଅତିକ୍ରମ କରି ଓଡିଶା ଉପକୂଳକୁ ବାତ୍ୟା ଆସିବା ମଧ୍ୟ ଏକ ବିରଳ ଘଟଣା ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।