ଚାନ୍ଦବାଲିରୁ ଚନ୍ଦ୍ରଭାଗା ସବୁଠି ସ୍ଥାନାନ୍ତରଣ ଜାରି । ବିଭିନ୍ନ ବସ୍ତି ଓ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ପ୍ରଶାସନ

200

କନକ ବ୍ୟୁରୋ: ବାତ୍ୟା ‘ଫୋନି’କୁ ଆଖି ଆଗରେ ରଖି ଲୋକମାନଙ୍କୁ ସାଇରନ୍ ବଜାଇ ସତର୍କ କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପିପିଲିରେ ସାଇରନ୍ ବଜାଇ ସତର୍କ କରାଯାଇଛି । ସେହିପରି କାକଟପୁର -ଅସ୍ତରଙ୍ଗର ତଳିଆ ଅଂଚଳ ଓ କଚ୍ଚା ଘରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଅସ୍ତରଙ୍ଗ ବ୍ଲକର ଛେନୁ, ତତ୍ପାଘର, ଉଦୟକଣି , କଟକଣା ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଉଛି । ତଣ୍ଡାଘରରେ ଥିବା ବାତ୍ୟା ଆଶ୍ରୟସ୍ଥଳିକୁ ଲୋକମାନଙ୍କୁ ନିଆଯାଇଛି । ତେବେ ସମୁଦ୍ରଠାରୁ ମାତ୍ର ୧୦୦ମିଟର ଦୂରରେ ତଣ୍ଡାଘର ବାତ୍ୟା ଆଶ୍ରୟ ସ୍ଥଳ ଥିବାରୁ ସେଠାରୁ ପୁଣି ଚିତ୍ରେଶ୍ୱର ହାଇସ୍କୁଲକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ସେହିଭଳି ତିତିଲି ବାତ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ବାତ୍ୟା ‘ଫୋନି’ର ପ୍ରଭାବ ପ୍ରଭାବ ପଡିବାର ସଂକେତ ଦେଖାଦେବା ପରେ ଗାଁ ଛାଡୁଛନ୍ତି ଲୋକେ । ସକାଳୁ ସକାଳୁ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୫ହଜାରରୁ ଅଧିକ ଲୋକଙ୍କୁ ୨୬୫ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଗୁଡିକରେ ରଖାଯାଇଥିବା ଜଣାପଡିଛି ।

ଚନ୍ଦ୍ରଭାଗରେ ବି ସ୍ଥାନାନ୍ତରଣ ପ୍ରକିୟାକୁ ଜୋରଦାର କରିଛି ସ୍ଥାନୀୟ ପ୍ରଶାସନ । ଲୋକମାନଙ୍କୁ ସୁରକ୍ଷିତ ଭବେ ସମୁଦ୍ର ନିକଟବର୍ତ୍ତି ଅଂଚଳରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ଓ ତଳିଆ ଅଂଚଳରୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନିଆଯାଉଛି । ସେହିପରି ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସମୁଦ୍ରକୁ ଯାଇ ମାଛ ଧରୁଥିବା ମତ୍ସ୍ୟଜୀବିମାନେ କୂଳକୁ ଫେରିଆସିଛନ୍ତି ।

ସେହିଭଳି ସାତଭାୟାରରେ ରହିଯାଇଥିବା ୭୦ ପରିବାର ଲୋକ ଆଜି ବାତ୍ୟା ଫୋନି ଭୟରେ ଗାଁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସମୁଦ୍ର ଗାଁ ଆଡକୁ ମାଡି ଆସିବାରୁ ଗତବର୍ଷ ପ୍ରଶାସନ ଏହି ଗାଁର ୫୦୦ ପରିବାରକୁ ଅନ୍ୟତ୍ର ଥଇଥାନ କରାଯାଇଥିଲା । ହେଲେ ୭୦ ପରିବାର ଗାଁ ନଛାଡି ସେହିଠାରେ ରହିଯାଇଥିଲେ । ଡଙ୍ଗାରେ ନିଜ ନିଜର ପରିବାର ଗୃହପାଳିତ ପଶୁଙ୍କ ସହ ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି ସାତଭାୟା ବାସୀ ।