ପ୍ରଳୟ ରଚିଲା ‘ଫୋନି’ , କିଛି ବାଦ୍ ପଡ଼ିଲାନି । ବର୍ତ୍ତମାନ ପର୍ଯ୍ୟନ୍ତ…ବାତ୍ୟାର ୧୨ ବଡ଼ ଖବର

130

କନକ ବ୍ୟୁରୋ: ଯମଦୂତ ପରି ଆସିଥଲା ସବୁ କିଛି ଛାରଖାର କରି ଚାଲିଗଲା । ପାଖାପାଖି ୮ ଘଣ୍ଟା ଧରି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ଫଣା ଓଡ଼ିଶାକୁ ଦଂଶନ କରିଚାଲିଗଲା । ଆଉ ସେହି ‘ଫୋନି’ର ବିଷରେ ଏବେ ଛଟପଟ ହେଉଛି ଓଡ଼ିଶା । କେଉଁଠି ଉଜୁଡ଼ି ଯାଇଛି ହଜାର ହଜାର ଘର ତ କେଉଁଠି ମାଟି କାମୁଡ଼ି ପଡ଼ିଛି ଗଛ । ଆଉ ସେହି ବାତ୍ୟାର ୧୨ଟି ବଡ଼ ଘଟଣା କ’ଣ ରହିଥିଲା ନଜର ପକାନ୍ତୁ ।

୧- ପୁରୀରେ ମାଡ଼ ହେଲା ତାଣ୍ଡବ ରଚିଲା- ଗତ ୩ ତାରିଖ ସକାଳ ୮ଟା ୧୦ ମିନିଟରେ ପୁରୀରେ ମାଡ଼ ହେଲା ଫୋନି । ‘ଫୋନି‘ ପ୍ରଭାବରେ ଶ୍ରୀମନ୍ଦିରର ଘଣ୍ଟି ଉଡ଼ିଗଲା । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଲା ଫଳରେ ବଡ଼ ଦାଣ୍ଡରେ ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଲା । ଏପରିକି ‘ଫୋନି’ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ସହର । ଆଉ ସବୁଠାରୁ ବଡ଼ କଥା ହେଲା କି ଏବେ ପୁରୀ ସହରରେ ଏଠାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି । ଫୋନିର ଭୟାବହ କରାଳ ରୂପ ସତେ ଯେମିତି ପୁରୀବାସୀଙ୍କୁ ଘାରି ରଖିଛି ।

୨- ରକ୍ଷା ପାଇଲାନି ରାଜଧାନୀ- ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ଫଣା ମେଲାଇ ରାଜଧାନୀ ଆଡ଼କୁ ମାଡ଼ି ଆସିଲା କାଳରୂପୀ ‘ଫୋନି’ । ଆଉ ନଜ କବଳକୁ ରାଜଧାନୀ ଭୁବନେଶ୍ୱରକୁ ନେଇଚାଲିଲା ବାତ୍ୟା ‘ଫୋନି’ । ଯାହାଫଳରେ ଭୂବନେଶ୍ୱରବାସୀ ବାଦ୍ ପଡ଼ିନଥିଲେ ଏହି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ପ୍ରକୋପରୁ । ଆଉ ଦେଖୁଦେଖୁ ଉଜୁଡ଼ି ଗଲା ହଜାର ହଜାର ଘର, ଭାଙ୍ଗି ପଡ଼ିଲା ବିତ୍ୟୁତ୍ ଖୁଣ୍ଟ ଉଡ଼ିଗଲା ଛପର ।

୩- ପାଣି, ବିଜୁଳୀ ଓ ଯୋଗାଯୋଗ ଠପ୍ – ବାତ୍ୟା ‘ଫୋନି’ ପରେ ବିଭିନ୍ନ ସ୍ଥାନରେ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକ ଭଳି ସହରରେ ଜଟିଳ ପରିସ୍ଥିତି ଉପୁଜିଛି । ମୁଖ୍ୟତଃ ଜୀବନଯାପନ କରିବା ପାଇଁ ଦୌନନ୍ଦିନ ଆବଶ୍ୟକ ହେଉଥିବା ପାଣି, ବିତ୍ୟୁତ୍ ସରବରାହ ଓ ଯୋଗାଯୋଗ କ୍ଷେତ୍ରରେ ବାଧା ଦେଖାଦେଇଛି । ଏପରିକି ଏହି ସମସ୍ୟା ପାଇଁ ପୁରୀ, ଭୁବନେଶ୍ୱର ଓ କଟକ ମଧ୍ୟରେ ପୁନରାଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

୪- ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ସମୀକ୍ଷା- ବାତ୍ୟା ‘ଫୋନି’ ଆସିବା ପୂର୍ବରୁ ଏହାକୁ କିଭଳି ମୁକାବିଲା କରିବେ ସେନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଥିଲେ । ହେଲେ ବାତ୍ୟା ‘ଫୋନି’ ପରେ ଯେଉଁ ପ୍ରକୋପ ଦେଖିବାକୁ ମିଳିଥିଲା ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳକୁ ବିଲି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆକାଶ ମାର୍ଗରୁ କେତେବେଳେ ତ ଆଉ କେତେବେଳେ ଏସଆରସି ଅଫିସ ଏବଂ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରୁଛନ୍ତି ନବୀନ । ଆଉ ପ୍ରଭାବିତ ଥିବା ଲୋକଙ୍କ ସୁରକ୍ଷା ପାଇଁ ସରକାରୀ କଳକୁ ଦିନରାତି ଏକ କରି କାର୍ଯ୍ୟଭାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫- ସ୍ଥାନାନ୍ତରଣ ପ୍ରକ୍ରିୟାରେ ଇତିହାସ ରଚିଲା ଓଡ଼ିଶା- ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ ପରେ ରାଜ୍ୟ ସରକାରଙ୍କ ବଡ଼ ସଫଳତା । ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିବାରେ ଇତିହାସ ରଚିଲା ଓଡ଼ିଶା । ଏହି ବୃହତ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ, ୩ ଲକ୍ଷ ୨୦ ହଜାର, ପୁରୀରେ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ବିପଦ ସଙ୍କୁଳ ସ୍ଥାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ସେହିଭଳି ୯ ହଜାର ବାତ୍ୟା ଆଶ୍ରୟସ୍ଥଳୀରେ ୭ ହଜାର ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ୪୫ ହଜାର ସ୍ୱାଚ୍ଛାସେବୀମାନେ କଠିନ ପରିଶ୍ରମ କରି ବିପତ୍ତିର କଡ଼ା ମୁକାବିଲା କରିଛନ୍ତି ।

୬- ଜାତିସଂଘର ପ୍ରଶଂସା- ବାତ୍ୟା ‘ଫୋନି’ର ମୁକାବିଲା ନେଇ ଓଡ଼ିଶାକୁ ଜାତିସଂଘ ପ୍ରଶଂସା କରିଛି । ଜାତିସଂଘ ବିପର୍ଯ୍ୟୟ ଓ ପ୍ରଶମନ ସଂସ୍ଥା ଫୋନି ପ୍ରଭାବିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପ୍ରଂଶସା କରିଛନ୍ତି । ଅତି ପ୍ରବଳ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବାର କିଛି ଦିନ ଆଗରୁ ଆଇଏମଡ଼ି ବାରମ୍ବାର ସତର୍କ ସୂଚନା ଜାରି କରିବାରୁ ଉଚିତ୍ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା ହୋଇପାରିଛି । କାରଣ ୧୯୯୯ ମସିହା ବାତ୍ୟା ପରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ‘ଫୋନି’ ଥିଲା ଅତି ପ୍ରବଳ ଝଡ଼ବାତ୍ୟା । ନିର୍ଦ୍ଦିଷ୍ଟ ସମୟରେ ତ୍ୱରିତ ପଦକ୍ଷେପ ଯୋଗୁ ମୃତ୍ୟୁ ସଂଖ୍ୟା କମ୍ କରାଯାଇପାରିଛି । ତେଣୁ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ସେକ୍ରେଟାରୀ ଜେନେରାଲଙ୍କ ସ୍ୱତନ୍ତ୍ର ଅଧିକାରୀ ମାମି ମୁକୁଟୋରି ପ୍ରକାଶ ପ୍ରକାଶ କରିଛନ୍ତି ।

୭- ‘ଫୋନି’ ପରେ ସ୍ଥିତି ସମୀକ୍ଷା କରିବାକୁ କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ- ଫୋନି ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବା ଆସୁଛନ୍ତି । ବାତ୍ୟା ଫୋନି ପ୍ରଭାବରେ ଓଡିଶାରେ ଘଟିଥିବା ପ୍ରକୃତିର ତାଣ୍ଡବକୁ ଦେଖିବା ସହ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏନେଇ ନିଜ ଅଫିସିଆଲ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ମୋଦି ।

୮- ପ୍ରାଣ ନେଲା ଫୋନି- ବାତ୍ୟା ଫୋନି ଓଡିଶାରେ ତାଣ୍ଡବ ରଚିବା ପରେ ବିଦାୟ ନେଇଛି । ହେଲେ ଏଯାଏଁ କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଅନେକ ପରିବାର ଲୋକଙ୍କ ଜୀବନରେ ଅନ୍ଧକାର ଘୋଟି ଦେଇଛି । ଏତେ ପ୍ରସ୍ତୁତ ଓ ସତର୍କ ରହିବା ସତ୍ତେ୍ୱ ମଧ୍ୟ ବାତ୍ୟା ଫୋନି ଯୋଗୁଁ ୨୯ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

୯- ‘ଫୋନି’ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ବାତ୍ୟା ‘ଫୋନି ପ୍ରଭାବିତଙ୍କ ପାଇଁ ରାଜ୍ୟ ରକାରଙ୍କ ବଡ଼ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତଙ୍କୁ ମିଳିବ ମାଗଣା ଚାଉଳ, ପଲିଥିନ୍ ଓ ଟଙ୍କା । ତେବେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ବାସିନ୍ଦାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ୫୦ କିଲୋ ଚାଉଳ ସହ ପଲିଥିନ୍ ଏବଂ ୨ ହଜାର ଟଙ୍କା । ଏଥିସହ ଖୋର୍ଦ୍ଧାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ୧ ହଜାର ଟଙ୍କା ସହ ମାସକ ପାଇଁ ଚାଉଳ ଓ ପଲିଥିନ୍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତି । ସେହିପରି କଟକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ାରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ୫ ଶହ ଟଙ୍କା ଏବଂ ଅତିରିକ୍ତ ମାସକ ପାଇଁ ଚାଉଳ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୧୦- ଆକାଶ ମାର୍ଗରୁ ଅପରେସନ୍- ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତାୟ ବାୟୁସେନା ଏବଂ ଭାରତୀୟ ନୌସେନା ବାହିନୀ । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସେନା ପକ୍ଷରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ବାତ୍ୟାକୁ ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯେଉଁ କ୍ଷତି ଘଟିଯାଇଛି, ସେଥିରେ ଘାଣ୍ଟି ହେଉଛନ୍ତି ଲୋକେ ।

୧୧- ସହାୟତା ପାଇଁ ଅପିଲ୍-ଭୟଙ୍କର ବାତ୍ୟା ‘ଫୋନି’ ପ୍ରକୋପରେ ଉଜୁଡ଼ି ଯାଇଥିବା ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ସହାୟତା କରିବାକୁ ଆହ୍ୱାନ । ବଲିଉଡ଼ କଳାକାର, କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ, ହରଭଜନ ସିଂ ପ୍ରମୁଖ ଟ୍ଵିଟ କରି ଓଡିଶା ବାସୀଙ୍କ ନିରାପଦ କାମନା କରିଛନ୍ତି । ସେହିଭଳି ବଲିଉଡ କଳାକାର ମାନେ ମଧ୍ୟ ଓଡିଶାବାସୀଙ୍କ ନିରାପଦ କାମନା କରିବା ସହ ମହାପ୍ରଭୁ ଜଗନ୍ନାଥ ଓଡିଶାବାସୀଙ୍କୁ ଏଭଳି ପରିସ୍ଥିତି ସହ ଲଢେଇ କରିବାକୁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି । ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ ଓ ଟେରେନ୍ସ ଲୁଇସ ମଧ୍ୟ ରାଜ୍ୟବାସୀଙ୍କ ନିରାପଦ କାମନା କରି ଟ୍ୱିଟ୍ କରିଛନ୍ତି ।

୧୨- ଟଙ୍କା ମିଳୁନି, ତେଲ ମିଳୁନି- ବାତ୍ୟାରେ ଅନେକ ଧନଜୀବନ ନଷ୍ଟ ହୋଇଯାଇଥିବା ବେଳେ ବାତ୍ୟା ପରର ଦୃଶ୍ୟ ଆହୁରି ଉଦବେଗଜନକ । ୪୦ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଲୋକଙ୍କ ପାଖରେ ଟଙ୍କା ନଥିବା ବେଳେ ଏଟିଏମରେ ମଧ୍ୟ ଟ୍ରାଞ୍ଜାକସନ ହୋଇପାରୁନାହିଁ । ଅନେକ ଏଟିଏମରେ ତାଲା ଝୁଲୁଥିବାରୁ ପାଖରେ ଟଙ୍କା ନପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ସେପଟେ ପେଟ୍ରୋଲ ପମ୍ପ ଗୁଡିକରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍ । ତେଲ ପାଇଁ ପେଟ୍ରୋଲ ପମ୍ପରେ ଜମୁଛି ପ୍ରବଳ ଭିଡ । ଲମ୍ବା ଲାଇନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଗାଡିରେ ତେଲ ପକାଉଥିବାର ଦେଖିବାକୁ ମିଳୁଛି ।

ଉଦ୍ଧାର କାର୍ଯ୍ୟ ଜୋରଦାର- ଓଡ଼ିଶାରେ ପ୍ରଳୟ ରଚିଥିବା ସଇତାନ୍ ବାତ୍ୟା ‘ଫୋନି ନିଜ ଫଣାରେ ପୁରୀ, ଭୁବନେଶ୍ୱର ଓ କଟକ ଭଳି ସହରକୁ ନିଜ କବଳକୁ ନେଇ ଧ୍ୱଂସ ବିନାଶ କରିଦେଇଛି । ଯାହାର ପୁନଃରୁଦ୍ଧାର ପାଇଁ ସରକାର ବ୍ୟାପକ ପ୍ରସ୍ତୁିତ ଚଳାଇଛନ୍ତି । ରାସ୍ତା ଓ ଘର ଉପରେ ପଡ଼ି ରହିଥିବା ଗଛ ଗୁଡ଼ିକୁ ତୁରନ୍ତ କାଟି ଗମନାଗମନକୁ ସଠିକ୍ କରିବା ପାଇଁ ଏବଂ ବିଭିନ୍ନ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ପୂନଃରୁଦ୍ଧାର କରିବା ପାଇଁ ଓଡ଼୍ରାଫ, ଏନଡ଼ିଆରଏଫ ଏବଂ ରାଜ୍ୟ ସରକାରଙ୍କ ୧ ଲକ୍ଷ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।