ବାତ୍ୟା ‘ଫୋନି’ ଧୋଇଦେଲା ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ । ନଷ୍ଟ ହୋଇଗଲା ବିରଳ ପୁସ୍ତକ, ଶହେ ବର୍ଷର ପୁରୁଣା ଗ୍ରନ୍ଥ

ଏହି ଲାଇବ୍ରେରୀରେ ଶହେ ବର୍ଷର ପୁରୁଣା ଗ୍ରନ୍ଥ ନଷ୍ଟ ହୋଇଯାଇଛି ।

94

କନକ ବ୍ୟୁରୋ: ବାତ୍ୟା ଫୋନି ଧୋଇଦେଲା ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ । ଏହି ଲାଇବ୍ରେରୀରେ ଶହେ ବର୍ଷର ପୁରୁଣା ଗ୍ରନ୍ଥ ନଷ୍ଟ ହୋଇଯାଇଛି । ପବନ ଓ ପାଣି ମାଡରେ ଛିନଛତ୍ର ହୋଇଯାଇଛି ସମସ୍ତ ବହି । ଏବେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା ଆରମ୍ଭ ହୋଇଛି ।

ସାମୁଦ୍ରିକ ଝଡ ଫୋନି ସାରା ଓଡିଶାକୁ ଛାରଖାର କରିଦେଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ନଷ୍ଟ ହୋଇଛି ଧନଜୀବନ । ବଡ ବଡ ଗଛ, ଜଙ୍ଗଲ ଏବଂ କୋଠାଘର ମଧ୍ୟ ଭାଙ୍ଗିଥିବାର ସୂଚନାରୁ ଜଣାପଡିଛି । ତେବେ ଏଥିରୁ ବାଦ ପଡିନି ପୁରୀ ସସ୍କୃତ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ । ଲାଇବ୍ରେରୀରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ନଷ୍ଟ ହେବା ସହିତ ଲାଇବ୍ରେରୀରେ ଥିବା ପ୍ରାୟ ଶହେ ବର୍ଷ ପୁରୁଣା ଗ୍ରନ୍ଥ ମଧ୍ୟ ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ଲାଇବ୍ରେରୀର ବାହାରର ଏ ଦୃଶ୍ୟ ଦେଖିବା ପରେ ସହଜରେ ଅନୁଭବ କରିହେଉଛି କିପରି ଦାଉସାଧିଛି ଫୋନି । ଏହି ବିଦ୍ୟାଳୟର ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ ଉପରେ ଫୋନିର ଜବରଦସ୍ତ ପ୍ରହାର । ଲକ୍ଷାଧିକ ବହି ପାଣିରେ ନଷ୍ଟ ହୋଇଯାଇଛି । ଇଆଡେ ସିଆଡେ ପଡିଛି ବହି । କିଛି ବିରଳ ପୁସ୍ତକର ଅବସ୍ଥା କଣ ରହିଛି ତାହା ଜଣାପଡୁନି । ଏହା ମଧ୍ୟରେ ରହିଛି ବ୍ରିଟାନିକା ଠାରୁ ଆରମ୍ଭ କରି ସଂସ୍କୃତ ଭାଷାର ଦର୍ଶନ ବହି ଏବଂ ବେଦ । ନଷ୍ଟ ହୋଇଯାଇଛି ଶହେ ବର୍ଷର ପୁରୁଣା ଗ୍ରନ୍ଥ । ଫୋନି ମାଡରେ ଲାଇବ୍ରେରୀର କାଚ ଝରକା ଓ କବାଟ ଭାଙ୍ଗିଯିବା କାରଣରୁ ପାଣି ପଶି ଛାରଖାର ହୋଇଯାଇଛି ଏସବୁ ମୁଲ୍ୟବାନ ପୁସ୍ତକ । ଯାହା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।

ଏସିଆ ମହାଦେଶର ତୃତୀୟ ବୃହତ ଲାଇବ୍ରେରୀ ହେଉଛି ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଏହି ଲାଇବ୍ରେରୀ । ରାଜ୍ୟ, ଦେଶ ବିଦେଶର ବହୁ ଛାତ୍ରଛାତ୍ରୀ ଏଠାରେ ଥିବା ପୁସ୍ତକ ଉପରେ ନିର୍ଭର କରନ୍ତି । ହେଲେ ବାତ୍ୟା ଫୋନି ସବୁ ବିଗାଡି ଦେଇଛି । ଏବେ ଲାଇବ୍ରେରୀର କିପରି ପୁରରୁଦ୍ଧାର ହେବ ସେହି ଚିନ୍ତା ଘାରିଛି ।