୨୦ ବର୍ଷର ପରିଶ୍ରମକୁ ଗୋଟିଏ ଝଟକାରେ ଦୋହଲାଇ ଦେଲା ଫୋନି । ପ୍ରଳୟଙ୍କାରୀ ଫୋନିର ତାଣ୍ଡବରେ ଭୁଷୁଡି ପଡିଲା ଓଡିଶାର ପର୍ଯ୍ୟଟନ ଶିଳ୍ପର ମୁଳଦୂଆ ।

779

କନକ ବ୍ୟୁରୋ : ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ପଙ୍ଗୁ କରି ଦେଇଛି ବାତ୍ୟା ଫୋନି । ମାତ୍ର କିଛି ଘଣ୍ଟାର ଏହି ବାତ୍ୟା ଦୀର୍ଘ ଦିନ ଧରି ଗଢି ଉଠିଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପକୁ ଭାଙ୍ଗି ଚୁରମାର କରି ଦେଇଛି । ୧୯୯୯ ମହାବାତ୍ୟା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ଶକ୍ତ ପ୍ରହାର କରିଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ତାଣ୍ଡବ ରଚିଥିଲା ୧୯୯୯ ମହାବାତ୍ୟା । ଆଉ ଏହା ଭିତରେ ୨୦ ବର୍ଷ ବିତି ଯାଇଥିଲା । ପୁଣିଥରେ ପର୍ଯ୍ୟଟନକୁ ନେଇ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ଦୁଇ ପାଗ ଆଗକୁ ଯାଇଥିଲା । ୧୯୯୯ ମସିହା ବାତ୍ୟାକୁ ପଛ କରି ଅଣ୍ଟା ସଳଖି ଛିଡା ହୋଇଥିଲା ଓଡିଶା । କିନ୍ତୁ ୩ ମେ’ର ବାତ୍ୟା ଫୋନିର ରାଡାରରେ ପୁଣିଥରେ ଏବେ ଆସିଛି ଓଡିଶାର ପର୍ଯ୍ୟଟନ ଶିଳ୍ପ । ପ୍ରଳୟଙ୍କାରୀ ବାତ୍ୟା ଫୋନିର ୨୦୦ କିଲୋମିଟରରୁ ଅଧିକ ପବନ ବେଗରେ ଭୁଷୁଡି ପଡିଛି ଓଡିଶା ପର୍ଯ୍ୟଟନ ଶିଳ୍ପର ମୁଳଦୁଆ । କାରଣ ଓଡିଶାର ପର୍ଯ୍ୟଟନ ଶିଳ୍ପର ମୁଳପିଣ୍ଡି କୁହାଯାଉଥିବା ପୁରୀ, କୋଣାର୍କ, ଗୋପାଳପୁର, ଚିଲିକା, ସାତପଡାକୁ ବାତ୍ୟା ଫୋନି ଧ୍ୱଂସ୍ତବିଧ୍ୱସ୍ତ କରିଛି ।

ଖାସ୍ ବାତ୍ୟା ଫୋନି ପାଇଁ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ମାନେ ପୁରୀ ଆସିବାକୁ ଏବେ ପଛଘୁଞ୍ଚା ଦେଉଛନ୍ତି । ଏପରିକି ପର୍ଯ୍ୟଟକ ମାନେ ହୋଟେଲ ବୁକିଂକୁ ମଧ୍ୟ ରଦ୍ଦ କରିଛନ୍ତି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକର ପେଟ ଉପରେ ପଡୁଛି । ପ୍ରତିବର୍ଷ ଓଡିଶାକୁ ପ୍ରାୟ ୧ କୋଟି ୨୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏପରିକି ଓଡିଶାକୁ ଆସୁଥିବା ପ୍ରତିବର୍ଷ ପର୍ଯ୍ୟଟକ ହାରରେ ୯-୧୦ ପ୍ରତିଶତ ବୃଦ୍ଧି ମଧ୍ୟ ଦେଖିବାକୁ ମିଳୁଥିଲା । ଗତ କିଛି ବର୍ଷ ହେବ ପୁରୀ, ଚିଲିକା ଭଳି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ହବ ପାଲଟିଥିଲା । କିନ୍ତୁ ଫୋନି ବାତ୍ୟା ପରେ ବଦଳିଯାଇଛି ଏହି ଟୁରିଷ୍ଟ ଡେଷ୍ଟିନେସନର ସ୍ଥିତି ।

ବ୍ୟସ୍ତବହୁଳ ଥିବା ବେଳାଭୂମି ଏବେ ଖାଁ ଖାଁ ଦିଶୁଛି । ପେଟପାଟଣା ପାଇଁ ବେଳାଭୂମିରେ ଦୋକାନ ପକାଇଥିବା ଛୋଟ ଛୋଟ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ବାତ୍ୟା ଫୋନି ଉଡାଇ ନେଇଛି ପୂରା ଜୀବନର ଜମାପୁଞ୍ଜି । ଏପରିକି ଏହି ଗ୍ରୀଷ୍ମ ଋତୁରେ ପୁଣିଥରେ ପର୍ଯ୍ୟଟକ ଓଡିଶା ଫେରିବେ ସେ ଆଶା ମଧ୍ୟ ମଉଳିଯାଇଛି । କିନ୍ତୁ ଖୁବଶୀଘ୍ର ପୁଣିଥରେ ଜଗନ୍ନାଥ ଧାମକୁ ପର୍ଯ୍ୟଟକ ମାନେ ଧାଇଁ ଆସିବେ ସେ ଆଶା ମଧ୍ୟ ଛାଡି ନାହାନ୍ତି ।

ସେହିଭଳି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଚିଲିକାରେ ମଧ୍ୟ ଖୁବଶୀଘ୍ର ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ବାନ୍ଧିଛନ୍ତି । କାରଣ ପର୍ଯ୍ୟଟକ ଆସିଲେ ହିଁ ସେମାନଙ୍କ ଘରେ ଚୁଲି ଜଳେ ।