ମନରୁ ଲିଭୁନି ମେ ୩, ୨୦୧୯… ଫଣାଟେକି ଆସିଥିଲା, ତାଣ୍ଡବ ରଚିଯାଇଥିଲା । ବାତ୍ୟା ମାଡରେ ଛାରଖାର ହୋଇଥିଲା ଅଧା ଓଡିଶା ।

484

କନକ ବ୍ୟୁରୋ: ଫୋନି ଆସିଥିଲା, ତାଣ୍ଡବ ରଚିଥିଲା । ଓଡିଶା ଦେଖିଥିଲା ବଡ ବିପର୍ଯ୍ୟୟ । ବର୍ଷା, ପବନ, ବିଜୁଳି, ଘଡଘଡି ଆଉ ତାପରେ ସୁସୁ ଗର୍ଜନ କରି ମାଡି ଆସିଥିଲା ଝଡ । ସ୍ଥଳଭାଗକୁ ମାଡି ଆସିବା ପାଇଁ ସମୁଦ୍ର ଗର୍ଭରେ ଶକ୍ତି ଗୋଟାଉଥିଲା ଫୋନି । ଲ୍ୟାଣ୍ଡଫଲ କରିବାର କିଛି ଘଣ୍ଟା ପୂର୍ବରୁ ସବୁକିଛି ସ୍ୱାଭାବିକ ଥିଲା । କୋହଲା ପାଗ, ବାଦଲ ଭର୍ତ୍ତି ଆକାଶ, ଝଡ ପୂର୍ବର ନିରବତା ହିଁ ଗୋଟେ ବଡ ବିପଦର ଇସାରା ଦେଉଥିଲା… ଆଉ ଚାହୁଁ ଚାହୁଁ ଆଖି ସାମ୍ନାରେ ସବୁକିଛି ଘଟିଯାଉଥିଲେ ବି ଅଘଟଣ ଏଡାଇବାକୁ କାହାରି ଶକ୍ତି ହିଁ ନଥିଲା । ମହାବାତ୍ୟାର ମହାଶକ୍ତି ଆଗରେ ସବୁ ଶକ୍ତି, ସବୁ ଆକଳନ ଧରାଶାୟୀ ହେଉଥିଲା…

ମେ ୩, ୨୦୧୯ । ସମୟ- ସକାଳ ସାଢେ ୮ଟା । ସ୍ଥାନ- ଚନ୍ଦ୍ରଭାଗା ସମୂଦ୍ରକୂଳ । ବିକଟାଳ ଗର୍ଜନ କରି ମଝି ସମୁଦ୍ରରୁ ଫଣା ଟେକି ମାଡି ଆସୁଥିଲା ଫୋନି । ବାତ୍ୟାର ରୂପ ଏତେ ଭୟଙ୍କର ଥିଲା ଯେ, ୧୭୦ରୁ ୨୦୦ କିଲୋମିଟର ବେଗରେ ବହୁଥିଲା ପବନ । ବାତ୍ୟା ଯେଉଁ ଯେଉଁ ବାଟେ ଯାଉଥିଲା ସେହି ସେହି ବାଟେ ରଚୁଥିଲା ପ୍ରଳୟର ବିଭୀଷିକା । ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ କରିବା ପରେ ଆହୁରି ଶକ୍ତିଶାଳୀ ହୋଇଥିଲା ଫୋନି । ପ୍ରାୟ ତିନି ଘଣ୍ଟା କାଳ ଅଧା ଓଡିଶାକୁ ପବନରେ ପିଟି ପିଟି ଦରମରା କରିଥିଲା ମହାବାତ୍ୟା ।

ଭାଙ୍ଗିଯାଉଥିଲା ବଡ ବଡ ଘର, ଉପୁଡି ପଡୁଥିଲା ବିରାଟ ଗଛ । ଆଉ ତୁଳା ପରି ଉଡିଯାଉଥିଲା ଉଚ୍ଚ ଅଟ୍ଟାଳିକାର ଶକ୍ତ ଛାତ । ଫୋନିର ଫଣା ଆଗରେ କହି ବି ବର୍ତ୍ତୁ ନଥିଲେ । ନା ଜୀବନ, ନା ଜୀବୀକା । ନା ମଣିଷ ନା ଭଗବାନ । ଘରଠୁ ମନ୍ଦିର, ସ୍ମାର୍ଟସିଟିରୁ ଶ୍ରୀକ୍ଷେତ୍ର ସବୁଠି ଥିଲା ଭୟରେ ବାତାବରଣ । ତାଟିକବାଟ ଦେଇ କିଏ ଘର ଭିତରୁ ମୃତ୍ୟୁର ମହାତାଣ୍ଡବ ଦେଖୁଥିଲା ତ ପୁଣି କିଏ ମୃତ୍ୟୁର ଆଁରେ ପଶିଯାଉଥିଲା । ଫୋନି ବାତ୍ୟାରେ ପ୍ରାୟ ୬୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧ ଲକ୍ଷ ଗଛ ଉପୁଡିଯାଇଥିଲା । ଆଉ ଉଜୁଡିଯାଇଥିଲା ଉପକୂଳ ଓଡିଶାର ସୌନ୍ଦର୍ଯ୍ୟ…

ବାତ୍ୟାର ତାଣ୍ଡବରୁ ବର୍ତ୍ତିପାରିନଥିଲା ରାଜଧାନୀ ଭୁବନେଶ୍ୱର । ପୁରୀରେ ଯେମିତି କ୍ଷୟକ୍ଷତି ଘଟାଇଥିଲା ଭୁବନେଶ୍ୱରରେ ବି ଭୟଙ୍କର ପରିସ୍ଥିତି । ରାଜଧାନୀର ସ୍ଥିତିବି କହିଲେ ନସରେ । ଫନି ଯିବା ପରେ ସବୁଠି ହାହାକାରର ସ୍ୱର, ହରାଇବାର ଚିକ୍ରାର । କାହାର ଘର ଭାଙ୍ଗିଥିଲା, କାହାର ବର୍ଷଯାକର ପରିଶ୍ରମ ପାଟିରେ ପକାଇଥିଲା ଫନି । ଯୁଆଡେ ଚାହିଁଲେ ରାସ୍ତା ଉପରେ ଶୋଇଥିଲା ବିରାଟ ବିରାଟ ଗଛ । ବିଦ୍ୟୁତ ଭିତ୍ତିଭୂମି ଭୁଶୁଡି ପଡିଥିବାରୁ ଅନ୍ଧାରରେ ରହିଥିଲା ସ୍ମାର୍ଟସିଟି । ଅସହ୍ୟ ଗରମକୁ ବିନା ବିଜୁଳି । ରାଜଧାନୀବାସୀଙ୍କୁ ଗାଁମୁହାଁ ହେବାକୁ ବାଧ୍ୟ କରିଥିଲା । ଯଦିଓ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଭୁବନେଶ୍ୱରରୁ ପୁରୀ ସବୁ ସ୍ଥାନକୁ ପୁନରୁଦ୍ଧାର କରି ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ । କିନ୍ତୁ ଏବେବି ସେ ଲୋମଟାଙ୍କୁରା ମୁହୂର୍ତ୍ତ ମନେ ପଡିଗଲେ ଦେହ ଶିତେଇ ଉଠୁଛି ।

ଇତି ମଧ୍ୟରେ ଫନିକୁ ପୂରିଛି ୨ ବର୍ଷ । ଏଇ ଦୁଇ ବର୍ଷ ଭିତରେ ଅନେକ କିଛି ବଦଳିଯାଇଛି । ଓଡିଶା ଛାତିରୁ ଫନି ଦେଇଥିବା ଦାଗ ସିନା ଲିଭି ଯାଇଛି ହେଲେ ସେ ଦରଜ ଯାଇନି । ସେବେ ମହାବାତ୍ୟା ଏବେ ମହାମାରୀ । ସେବେ ଭୟଙ୍କର ବାତ୍ୟା, ଏବେ ଭୟଙ୍କର ଭୂତାଣୁ । ସ୍ଥିତି ଯାହା ବି ହେଉନା କାହିଁକି, ଅତୀତରେ ଓଡିଶା ଉଠିଛି, ଆଗେଇଛି । ଆଉ ଏବେ ବି କରୋନା କବଳରୁ ପୁଣି ଜିତିବ ଓଡିଶା, ପୁଣି ହସିବ ଓଡିଶା…