‘ଫନୀ’ କରିଦେଲା ଦାଣ୍ଡର ଭିକାରୀ…ଉଜୁଡି ଗଲା ସୁରଥଙ୍କ ସଂସାର..ଘର ଦେବେ ବୋଲି କହି ଭୁଲିଗଲେ ସରକାର…ବେସାହାରା ହୋଇ ଭିକ୍ଷାବୃତ୍ତିକୁ ଆପଣେଇନେଲେ ପୂରା ପରିବାର

340

କନକ ବ୍ୟୁରୋ: ଫନୀ ବାତ୍ୟାକୁ ୮ମାସ ପୁରିଲା । ବାତ୍ୟା କାହା ପାଇଁ ସର୍ବନାଶ ହୋଇଥିବା ବେଳେ କାହା ପାଇଁ ପୂଷମାସ ସଦୃଶ ହୋଇଛି । ସ୍ଥାନୀୟ ପ୍ରଶାସନର ତ୍ରୁଟିପୁର୍ଣ୍ଣ ତଦନ୍ତ ଯୋଗୁଁ ବେସାହରା ହୋଇପଡ଼ିଛନ୍ତି ବହୁ ପରିବାର । ଆଉ ଏଭଳି ହିଁ ଏକ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ଅନ୍ତର୍ଗତ ସଲଙ୍ଗ ପଞ୍ଚାୟତର ଆମରଙ୍ଗ ଗାଁରେ । ଯେଉଁଠି ଏକ ପରିବାର ସ୍ଥାନୀୟ ପ୍ରଶାସନର ତୃଟିପୁର୍ଣ୍ଣ ତଦନ୍ତର ଶିକାର ହୋଇ ମୁଣ୍ଡଗୁଞ୍ଜିବା ପାଇଁ ଘରଖଣ୍ଡେ ତୋଳିବା ତ ଦୂରର କଥା ପେଟକୁ ଦାନା ଗଣ୍ଡେ ଯୋଗାଡ଼ ପାଇଁ ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି ।

ଆମରଙ୍ଗଗାଁର ସୁରଥ ବେହେରା । ଜଣେ ଦିନମଜୁରୀଆ ପରିବାର । ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ଦିବ୍ୟାଙ୍ଗ ପୁଅ । ଫନୀ ବାତ୍ୟାରେ ସର୍ବହରା ହୋଇପଡିଛନ୍ତି ସୁରଥଙ୍କ ପରିବାର । କାହିଁକି ନା ମୁଣ୍ଡଗୁଞ୍ଜିବା ପାଇଁ ଥିବା ସୁରଥଙ୍କ ଝାଟିମାଟି ଘରଖଣ୍ଡିକ ବାତ୍ୟାରେ ସଂପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ସରକାରଙ୍କ ଘରଭଙ୍ଗା ତାଲିକାରେ କଚ୍ଚାସିଭିୟର ଦର୍ଶାଯାଇଥିଲେ ମଧ୍ୟ ସୁରଥଙ୍କୁ ୯୫,୨୦୦ ଟଙ୍କା ବଦଳରେ ମିଳିଛି ମାତ୍ର ୫ ହଜାର ୨୦୦ଟଙ୍କାର ସହାୟତା ରାଶି । ପରବର୍ତ୍ତୀ ସମୟରେ ପକ୍କା ଆଶିଂକ କ୍ଷତି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ରାଶିରେ ସେ ଭୋକିଲା ପେଟକୁ ଦାନା ଯୋଗଡ଼ରେ ଖର୍ଚ୍ଚ କରିଦେଇଛନ୍ତି । ଆଉ ଏବେ ଘରଖଣ୍ଡିଏ ତାଙ୍କ ପାଇଁ ସାତସପନ ହୋଇଯାଇଛି । ମୁଣ୍ଡଗୁଞ୍ଜିବା ପାଇଁ ଘରଖଣ୍ଡିଏ କରିବା ସହିତ ଭୋକ ମେଂଟାଇବା ପାଇଁ ସୁରଥଙ୍କ ସ୍ତ୍ରୀ ଏବଂ ପିଲା ବର୍ତ୍ତମାନ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି ।

ତେବେ ସ୍ଥାନୀୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହୋଇଥିବା ତ୍ରୁଟିପୁର୍ଣ୍ଣ ତଦନ୍ତ ଏବଂ ଲାଂଚଖୋର ମନୋଭାବ ଯୋଗୁଁ ଥିଲାବାଲା ମାଲେମାଲ ହେଉଥିବା ବେଳେ ନିରାଶ୍ରୟ ଦାଣ୍ଡର ଭିକାରୀ ହୋଇଯାଉଛି । ତେବେ ଶୁଣସରକାର ମାଧ୍ୟମରେ ସୁରଥ ବେହେରାଙ୍କ କରୁଣ କାହାଣୀ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମର ଉଦ୍ୟମ କେତେଦୂର ଫଳପ୍ରଦ ହେଉଛି ତାହା ଭବିଷ୍ୟତ ହିଁ କହିବ?