କନକ ବ୍ୟୁରୋ: ଖରାଦିନିଆ ବାତ୍ୟାକୁ ନେଇ ଲୋକଙ୍କ ମନରେ ଶଙ୍କା ଉପୁଜି ଥିବା ବେଳେ ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ଏଭଳି ଆଶ୍ୱାସନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ ସେଂଟର ମୁଖ୍ୟ ଆର.କେ ଜେନାମଣି । ତାଙ୍କ କହିବା କଥା, ଉପକୂଳ ଛୁଇଁନପାରେ ବାତ୍ୟା । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଉପକୂଳ ଠାରୁ ଦେଢ଼ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଥାଇ ରି-କର୍ଭ କରିବାର ସମ୍ଭାବନା ରହିଛି ।

Advertisment

ସୁଦୃଶ୍ୟ ହେବା ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ସାରିଛି । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ୮ ତାରିଖ ସଂଧ୍ୟାରୁ ପବନର ବେଗ ମଧ୍ୟ ବଢ଼ିବ । ଘଂଟା ପ୍ରତି ପ୍ରାୟ ୭୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ତେବେ ୯ ତାରିଖରୁ ପବନର ବେଗ ଆହୁରି ବଢ଼ି ଘଂଟା ପ୍ରତି ୮୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ, ଯାହାର ଝଟକା ୧୦୦ କିଲୋମିଟର ହେବା ଆଶଙ୍କା କରାଯାଉଛି । ୧୦ ତାରିଖ ସଂଧ୍ୟା ଯାଏଁ ଏହି ବେଗରେ ପବନ ବହିପାରେ । ତେବେ ୧୧ ତାରିଖ ସକାଳୁ ପବନର ବେଗ ହ୍ରାସ ପାଇବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ ।

୧୦ ତାରିଖ ସଂଧ୍ୟା ଯାଏଁ ଉତର ପଶ୍ଚିମ ଦିଗରେ ବାତ୍ୟା ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଂଚିବ । କିନ୍ତୁ ଏହା ପରେ ଗତିପଥ ବଦଳାଇବା ଆଶଙ୍କା ରହିଛି । ଅର୍ଥାତ ଉତର-ଉତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଦୂରେଇ ଯିବା ସମ୍ଭାବନା ରହିଛି । ତେଣୁ ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ କରିବା ଆଶଙ୍କା କମ୍ । ଏପରିକି ଉପକୂଳ ଦେଇ ସମାନ୍ତରାଳ ଭାବେ ଗତି କରି ସମୁଦ୍ର ଭିତରେ ଦୁର୍ବଳ ହୋଇ ଯାଇପାରେ ବାତ୍ୟା ।

ଅଧିକ ପବନ ହେବା ଆଶଙ୍କା ନାହିଁ, ହେଲେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବ । ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଓଡ଼ିଶା ଉପକୂଳରୁ ପ୍ରାୟ ୧୫୦ରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ରିକର୍ଭ କରିବା ଆଶଙ୍କା ରହିଛି । ତେବେ ଏହାର ପ୍ରଭାବରେ ବର୍ଷା ହେବ । କିଛି ସ୍ଥାନରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ଆକଳନ କରୁଛି ପାଣିପାଗ ବିଭାଗ ।

୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବାକୁ କୁହାଯାଉଛି । ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ନଯିବା ପାଇଁ ଆଲର୍ଟ କରାଯାଇଛି । ସମସ୍ତ ବନ୍ଦରଗୁଡିକୁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।