ମାଡି ଆସିଲା ୨୦ ଫୁଟ ଉଚ୍ଚର ଜୁଆର । ସମୁଦ୍ରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ

812

କନକ ବ୍ୟୁରୋ : ଧାମରାରେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଡି ଆସିଲା ୨୦ ଫୁଟ ଉଚ୍ଚର ଜୁଆର । ଅମାବାସ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ଥିଲା । ଜୁଆର ମାଡି ଆସିବାରୁ ସମୁଦ୍ର ଭିତରକୁ ଭାସିଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଶୁଖୁଆ । ଏବେ ଶୁଖୁଆ ଆମଦାନୀର ସଠିକ୍ ସମୟ ହୋଇଥିବାରୁ ଦୋସିଙ୍ଗା ସହ ଧାମରା, ଅମରନଗର, ଚନ୍ଦନୀପାଳ ଆଦି ଅଂଚଳରେ ଶହ ଶହ ମତ୍ସ୍ୟଜୀବୀ ଶୁଖୁଆ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି । ହେଲେ ହଠାତ୍ ସମୁଦ୍ର ଜୁଆର ମାଡି ଆସିଥିଲା । ଗାଁରେ ପଶିଯାଇଥିଲା ଜୁଆର ପାଣି । ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ସମୁଦ୍ର ଭିତରକୁ ଭାସି ଯାଇଥିଲା । ୪୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର ପ୍ରାଣ ବିକଳରେ ପହଁରି ପହଁରି ବାତ୍ୟା ଆଶ୍ରୟସ୍ଥଳକୁ ପଳାଇ ଯାଇଥିଲେ । ଏବେ ପରିବାର କିପରି ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ଶୁଖୁଆ ବ୍ୟବସାୟୀ ।

ଶନିବାର ଅମାବାସ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ଥିଲା । ହଠାତ୍‌ ବିଳମ୍ବିତ ରାତିରେ ସାମୁଦ୍ରିକ ଜୁଆର ମାଡ଼ିଆସିଥିଲା । ଫଳରେ, କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଶୁଖୁଆ ସହ ସେଠାରେ ଥିବା ଅସ୍ଥାୟୀ ପଲାକୁଡ଼ିଆଗୁଡ଼ିକ ସମୁଦ୍ରରେ ଲୀନ ହୋଇ ଯାଇଥିଲା । ଶୀତ ଦିନେ ଶୁଖୁଆ ଆମଦାନୀର ପ୍ରକୃଷ୍ଟ ସମୟ ହୋଇଥିବାରୁ ଦୋସିଙ୍ଗା ସହ ଧାମରା, ଅମରନଗର, ଚନ୍ଦନୀପାଳ ଆଦି ଅଞ୍ଚଳରେ ଶହ ଶହ ମତ୍ସ୍ୟଜୀବୀ ମାଛ ଶୁଖାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରନ୍ତି । କରୋନା କଟକଣା ହଟିବା ପରେ ହାତଉଧାରି ଏବଂ ସୁଧରେ ଟଙ୍କା ଆଣି ଶୁଖୁଆ ବେପାର କରିବାକୁ ଆସିଥିଲେ।

ହଠାତ୍‌ ସମୁ୍ଦ୍ର ଜୁଆର ଭସେଇ ନେବାଫଳରେ ସେମାନଙ୍କର ସବୁକିଛି ଉଜୁଡ଼ି ଯାଇଛି । ‘ ଏବେ ସମୁଦ୍ର ମୁହଁରେ ସବୁ ଗଲା । ପରିବାର ପ୍ରତିପୋଷଣ କରିବୁ କେମିତି ,’ ବୋଲି କହିଛନ୍ତି ଶୁଖୁଆ ବ୍ୟବସାୟୀ । ସେହିଭଳି; ଗତକାଲିଠାରୁ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରା ନେଇଛୁ, ବର୍ଷା ଛାଡ଼ିଲେ ଘରଦ୍ବାର ‌ସଜାଡ଼ି ମୁଣ୍ତ ଗୁଞ୍ଜିବୁ । ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ପୁଣି ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ ଅନ୍ୟ ଜଣେ ମତ୍ସ୍ୟଜୀବୀ  ।