ଶ୍ରୀଲଙ୍କା ଉପକୂଳରେ ଆଜି ରାତିରେ ମାଡ ହେବ ବାତ୍ୟା ବୁରେଭୀ । ୪ ତାରିଖ ପୂର୍ବରୁ ଭାରତରେ ପ୍ରଭାବ । ତାମିଲନାଡୁ ଓ କେରଳକୁ ସତ୍ତର୍କ ସୂଚନା । ମତ୍ସ୍ୟଜୀବୀଙ୍କ ସମୁଦ୍ର ମନା

ଆଜି ଶ୍ରୀଲଙ୍କା ଦେଖିବ ବାତ୍ୟା ‘ବୁରେଭୀ’ ରୂପ

317

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସମ୍ପୁର୍ଣ୍ଣ ବାତ୍ୟାର ରୂପ ନେଇଛି । ଏହି ବାତ୍ୟାକୁ ପାଣିପାଗ ବିଭାଗ ‘ବୁରେଭୀ’ ନାମରେ ନାମିତ କରଛି । ଏହି ବାତ୍ୟ ବୁରେଭୀ ଆଜି ମଧ୍ୟରାତ୍ରରେ ଶ୍ରୀଲଙ୍କା ଉପକୂଳରେ ମାଡ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ବୁରେଭୀ ଶ୍ରୀଲଙ୍କାର ତ୍ରଙ୍କୋମାଲୀରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁରେ ପହଂଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ବୁରେଭୀ ଗଲ୍ଫ ଅଫ୍ ମୁନ୍ନାର ଓ ତାମିଲନାଡୁର କନ୍ୟାକୁମାରୀ ଆଖ ପାଖରେ ତାଣ୍ଡବ ରଚିବ ବୋଲି ପୂର୍ବନୁମାନ କରିଛି । ଏହାପରେ ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଡିସେମ୍ବର ୪ ତାରିଖ ସକାଳେ କନ୍ୟାକୁମାରୀ ଓ ପମ୍ବନ ମଧ୍ୟଭାଗ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ।
ବାତ୍ୟା ବୁରେଭୀ ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସତ୍ତର୍କତା ଦୃଷ୍ଟିରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପଟେ ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ତାମିଲନାଡୁ, କନ୍ୟାକୁମାରୀ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ଏନଡିଆରଏଫ୍ ଟିମ୍ କୁ ସଜାଗ ରଖାଯାଇଛି । ବାତ୍ୟା ପ୍ରଭାବରେ ପୁଡୁଚେରୀ, ଦକ୍ଷିଣ- ଉତର ତାମିଲନାଡୁ, କଡାଇକଲ, ଦକ୍ଷିଣ- ଉତର କେରଳ, ଆନ୍ଧ୍ରପ୍ରଦେଶର ଦକ୍ଷିଣାଞ୍ଚଳ ଏବଂ ଲାକ୍ଷାଦ୍ୱୀପର କିଛି ଅଞ୍ଚଳରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ରାଜ୍ୟସରକାର ମାନଙ୍କ ପକ୍ଷରୁ ସର୍ତ୍ତକତା ଅବଲମ୍ବନ କରାଯାଇଛି ।
କେରଳରେ ବୁଧବାର ଓ ଗୁରୁବାର ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୪ ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛନ୍ତି କେରଳ ସରକାର । ଏହିସବୁ ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ଥିରୁଭାନନ୍ତପୁରମ,କୋଲ୍ଲମ, ପଥନମଥିଟ୍ଟା ଓ ଅଲପ୍ପୁଝା । ଅନ୍ୟପଟେ କୋଟ୍ଟାୟମ, ଏର୍ନାକୁଲମ୍ ଓ ଛଡ୍ଡୁକୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Comments are closed.