ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲବୁଲ୍’ । ଭୟଙ୍କର ରୂପ ନେଇ ମାଡିଆସୁଛି ଭୀଷଣ ସାମୁଦ୍ରିକ ଝଡ, ପାରାଦୀପଠାରୁ ୩୯୦ କିଲୋମିଟର ଦୂରରେ ବାତ୍ୟା ।

5,989

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ସ୍ଥଳବିଶେଷରେ ୧୩୫ କିମି ହୋଇପାରେ । ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗକୁ ଘଂଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ବାତ୍ୟା ବୁଲବୁଲ ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର ଦୂରରେ ରହିଛି । ଏବଂ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡର ଦକ୍ଷିଣରେ ୫୩୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୩୦ କିମି ଦୂରରେ ରହିଛି ।

୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ ବାତ୍ୟା ବୁଲବୁଲ୍ । ଏହା ପରେ ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ପୁଣି ଉତ୍ତରକୁ ଗତି କରିବ । ତାପରେ ସ୍ଥଳଭାଗ ଛୁଇଁବ । ତେବେ ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ ।

ଆଜି ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବି ବୋହିବ । କେତେକ ସ୍ଥାନରେ ପବନର ବେଗ ୯୦ କିମି ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।