ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିନପାରେ ବାତ୍ୟା ବୁଲବୁଲ୍ ।ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହେବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ ।

1,124

କନକ ବ୍ୟୁରୋ : ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିନପାରେ ବାତ୍ୟା ବୁଲବୁଲ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହେବାକୁ ଏସଆରସିଙ୍କ ପରାମର୍ଶ । ଆଜି ସନ୍ଧ୍ୟା କିମ୍ବା କାଲି ସକାଳେ ସମ୍ଭାବ୍ୟ ବାତ୍ୟା ନେଇ ହେବ ଚିତ୍ର ସ୍ପଷ୍ଟ । ତେବେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଆଇଏମଡିର ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରେସମିଟରେ ଏଭଳି ସୂଚନା ଦେଇଛନ୍ତି ଏସଆରସି । ତେବେ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଏହାପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବୟାନ ଓଡ଼ିଶାକୁ ବଡ ଆଶ୍ୱସ୍ତି ଆଣି ଦେଇଛି । ଅବପାତ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି ସୂଚନା ଦେଇଛି ଆଇଏମଡି । ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ ।

ତେବେ ବୁଲବୁଲ ପ୍ରଭାବରେ ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ କିନ୍ତୁ ୯ ତାରିଖରୁ ୨ ଦିନ ବର୍ଷା ହେବ । ଏହାର ପ୍ରଭାବରେ ଉତର ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ । ଏହି ସମୟରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅବପାତ ଏବେ ସମୁଦ୍ର ମଧ୍ୟରେ ରହି ଧୀରେ ଧୀରେ ଗତି କରୁଥିବାରୁ ଏହା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ।