ଓଡିଶାରେ ନୁହେଁ, ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ‘ବୁଲବୁଲ’: ଗାଙ୍ଗେୟ ତ୍ରିକୋଣଭୂମୀରେ ସ୍ଥଳଭାଗ ଛୁଇଁଲା; ୧୫୦ରୁ ୧୬୦ ବେଗରେ ପବନ ବହିଲା

ଜଣଙ୍କର ମୃତ୍ୟୁ ସହ ପଶ୍ଚିମବଙ୍ଗରେ ୧ ଲକ୍ଷ ୬୪ ହଜାର ଏବଂ ବାଂଲାଦେଶରେ ୫ଲକ୍ଷ ଲୋକ ସ୍ଥାନାନ୍ତର: ଏପଟେ ଓଡ଼ିଶାରେ ଜନଜୀବନ ପ୍ରଭାବିତ

1,444

କନକ ବ୍ୟୁରୋ: ଓଡିଶାରେ ନୁହେଁ, ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବୁଲବୁଲ । ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମୀରେ ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ବୁଲ୍ବୁଲ । ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଂଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଥିବା ନେଇ ସୂଚନା ମିଳିଛି । ବାଲିଗଂଜ ଅଂଚଳରେ ଥିବା କୋଲକାତା କ୍ରିକେଟ ଆଣ୍ଡ ଫୁଟବଲ କ୍ରିକେଟ କ୍ଲବରେ ଜଣେ ୨୮ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କ୍ଲବ ପରିସରରେ ଏକ ଗଛ ଉପୁଡି ତାଙ୍କ ଉପରେ ପଡିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ରାତି ପ୍ରାୟ ୮ଟା୩୦ମିନିଟ ସମୟରେ ସାଗର ଆଇଲ୍ୟାଣ୍ଡରେ ବୁଲବୁଲ ମାଡ ହେବା ପରେ ଉତର ଦିଗକୁ ଗତି କରି ବାଂଲାଦେଶର ଖେପୁପାରା ଅଭିମୁଖେ ଯାଇଥିଲା । ଏହାରି ପ୍ରଭାବରେ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବା ବେଳେ ଘରଦ୍ୱାର ଭାଙ୍ଗି ଯାଇଛି । ପଶ୍ଚିମବଙ୍ଗରେ ବାତ୍ୟା ତାଣ୍ଡବ ମଚାଇବା ପରେ ଏବେ ବାଂଲାଦେଶରେ ଆହୁରୀ ବ୍ୟାପକ ରୁପ ନେଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏବେ ଏନ୍ଡିଆର୍ଏଫ୍ ଟିମ୍ ଉପସ୍ଥିତ ଥିବା ବେଳେ ବଙ୍ଗୋପସାଗରରେ ୩ଟି ଜାହାଜ ପ୍ରସ୍ତୁତ ରହିଛି । ଖେଜୁରୀ, ନନ୍ଦଗ୍ରାମ, ନୟାଚାର, ପୂର୍ବ ମେଦିନାପୁର ଅନ୍ତର୍ଗତ ରାମନଗର, କାକଦ୍ୱିପ ଏବଂ ବଖାଲି ଆଦି ଅଂଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏସବୁ ଅଂଚଳରେ ଗଛ ମାଟିରେ ଶୋଇପଡିଥିବା ବେଳେ ôଦୋକାନ ବଜାର ଖିନବିନ ହୋଇଯାଇଥିବା ସୂଚନା ମିଳିଛି । ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଆଉ ଏସବୁ ଭିତରେ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ୧ ଲକ୍ଷ ୬୪ ହଜାରଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥିତିର ମୁକାବିଲା ପାଇଁ ମମତା ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବେ ପୁରା ଘଟଣା ଉପରେ ନଜର ରଖିଛନ୍ତି । ରାଜ୍ୟ ସଚ୍ଚିବାଳୟରେ ତାଙ୍କ ସହିତ ଉପସ୍ଥିତ ରହିଛନ୍ତି ଉଚ୍ଚପଦାଧିକାରୀ ।

ଏପଟେ ବାତ୍ୟା ପାରାଦୀପରୁ ୯୫ କିଲୋମିଟର ଦୂରରେ ଓଡିଶାକୁ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ୧୧୦ କିଲୋମିଟର ବେଗରେ ପବନ ବୋହିଛି । ଅନେକ ସ୍ଥାନରେ ବଡ ବଡ ଗଛ, ବିଜୁଳି ଖୁଂଟ ଉପୁଡିପଡିଛି । କିଛି ସ୍ଥାନରେ କଚା ଘର ବି ଭାଂଗିଯାଇଛି । ବାତ୍ୟା ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡ଼ା ରାଜକନିକା ଅଂଚଳରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବାଲିସାହି ଗାଁରେ ଉପୁଡିପଡ଼ିଛି ବଡ଼ ବଡ଼ ଗଛ । ପ୍ରବଳ ବେଗରେ ପବନ ବୋହିବାରୁ ବଡ଼ ବଡ଼ ଗଛ ଘର ଉପରେ ମଧ୍ୟ ପଡ଼ିିଛି । ଯେଉଁଥି ପାଇଁ କିଛି ଘର ଭାଙ୍ଗିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାଲିସାହି ଗାଁର ରାସ୍ତାରେ ଗଛ ପଡ଼ି ରହିବା କାରଣରୁ ଯିବା ଆସିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । କିଛି ସ୍ଥାନରେ ବିଜୁଳି ଖୁଂଟ ମଧ୍ୟ ଉପୁଡି ପଡିଛି ।

ସେହିଭଳି ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗଜରାଜପୁର ଗାଁରେ ଗଣେଶ୍ୱର ମଳିକ ନାମକ ୭୨ ବର୍ଷର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଘରେ ସେ ଶୋଇଥିବା ବେଳେ ପବନରେ ଉଡି ଆସି ଏକ ଆଜବେଟସ୍ ଖଣ୍ଡ ତାଙ୍କ ଉପରେ ପଡ଼ିଥିଲା ବୋଲି କହିଛନ୍ତି ଗ୍ରାମବାସୀ । ଗଣେଶ୍ୱରଙ୍କ ଛାତି ଉପରେ ଆଜବେଟସ୍ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।