ବଳ ଗୋଟାଉଛି ‘ବୁଲବୁଲ’: ବାଂଲାଦେଶକୁ ଯିବା ବାଟରେ ବାହୁ ମେଲେଇବ ବାତ୍ୟା । ପ୍ରବଳ ବର୍ଷିବ, ଘରଦ୍ୱାର ଭାଙ୍ଗିବ । ବଡ ବଡ ଗଛ ଉପୁଡି ପଡିବା ଆଶଙ୍କା

7,958

କନକ ବ୍ୟୁରୋ: ବାତ୍ୟା ବୁଲବୁଲ ନେଇ ବଡ ସୂଚନା । ପାରାଦୀପ ଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା ବୁଲବୁଲ । ଘଣ୍ଟାକୁ ୧୭ କିମି ବେଗରେ ଗତି କରୁଛି ବୁଲବୁଲ । ଆସନ୍ତାକାଲି ଅର୍ଥାତ ୯ ତାରିଖ ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ବୁଲବୁଲ । ସୁନ୍ଦରବନ ଡେଲଟାରେ ଲ୍ୟାଣ୍ଡଫଲ କରିବ । ତେବେ ଲ୍ୟାଣ୍ଡଫଲ ପରେ ୧୧୦ରୁ ୧୨୦ କିମି ବେଗରେ ଗତି କରିବ ।

ସେପଟେ ଲ୍ୟାଣ୍ଡଫଲ ପୂର୍ବରୁ ଓ ବୁଲବୁଲ ଗତି କରିବା ବେଳେ ଓଡିଶାର ଏହାର ପ୍ରଭାବ ପଡିବ । ବାତ୍ୟାର କୌଣସି ଆଶଙ୍କା ନଥିଲେ ବି ଓଡିଶା ଉପକୂଳରେ ପ୍ରବଳ ବର୍ଷିବ ବୁଲବୁଲ । ବାତ୍ୟା ପ୍ରଭାବରେ ପବନର ବେଗ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ତେବେ ଚାରିଟି ଜିଲ୍ଳାକୁ ସତର୍କ ରହିବାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଳାକୁ ସତର୍କ ରହିବାକୁ କୁହାଯାଇଛି । ଏହି ଚାରି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ୭୦ରୁ ୮୦ କିଲୋମଟିର ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ପବନ ବହିବା ସମୟରେ କଚ୍ଚା ଘର ଭାଙ୍ଗିବା ସହ ଅନେକ ଗଛ ମଧ୍ୟ ଉପୁଡିପାରେ । ଏଥିସହ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଉପୁଡି ପଡିବାର ସମ୍ଭାବନା ଅଛି ବୋଲି ଅନୁମାନ କରାଯାଇଛି ।

ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ପାରାଦୀପ- ୩୦ ମି.ମି, ଚାନ୍ଦବାଲି- ୧୧ ମି.ମି, ବାଲେଶ୍ୱର- ୪ ମି.ମି, ପୁରୀ- ୬ ମି.ମି ଓ ଭୁବନେଶ୍ୱରରେ ୦.୮ ମି.ମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ଏଯାଏଁ ବର୍ଷା ଆରମ୍ଭ ହୋଇନଥିବା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।