ଓଡିଶାରେ କେତେ କ୍ଷୟକ୍ଷତି କରିଛି ‘ବୁଲବୁଲ’ ? ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍

279

କନକ ବ୍ୟୁରୋ: ବାତ୍ୟା ବୁଲବୁଲ କ୍ଷୟକ୍ଷତି ଦେଖିବାକୁ ଆସୁଛି କେନ୍ଦ୍ରୀୟ ଟିମ୍ । ବୁଲବୁଲ ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଆକଳନ କରିବାକୁ ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ଦୁଇ ଦିନ ଧରି ବାତ୍ୟା ବୁଲବୁଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା । ଆଉ ପରେ କ୍ଷୟକ୍ଷତି ନେଇ ଆକଳନ କରିବେ ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ଆଜି ଏହି ଟିମ୍ ପ୍ରଥମେ ଭଦ୍ରକର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ସମ୍ଭାବନା ରହିଛି । ବୁଲବୁଲ ଯୋଗୁଁ ରାଜ୍ୟରେ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇସାରିଛନ୍ତି । ଏସଆରସି କହିଛନ୍ତି, ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି । ବର୍ଷା ଓ ପବନ ଯୋଗୁଁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା. ମୟୂରଭଂଜ ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି ।

ବାତ୍ୟା ଯୋଗୁଁ ଉପକୂଳ ଓଡିଶାରେ ଜମିରେ ଅମଳ ଫସଲ ଶୋଇପଡିଥିବା ବେଳେ ବିଲରେ ପାଣି ଭର୍ତ୍ତି ହୋଇରହିଥିଲା । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆଉ କିଛି ଦିନ ପରେ ଚାଷୀ ଅମଳ କରିଥାନ୍ତା ମାତ୍ର ଅମଳ ପୂର୍ବରୁ ବୁଲବୁଲ ତାଣ୍ଡବ ରଚିଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସେପଟେ ବାତ୍ୟାରେ ଘରଦ୍ୱାର ଭାଙ୍ଗିଥିବା ସହ ବିଜୁଳି ଖୁଂଟ ମଧ୍ୟ ଉପୁଡି ପଡିଥିଲା ।