କନକ ବ୍ୟୁରୋ : ଚକ୍ରବାତ ଝଡ ବିପର୍ଯ୍ୟୟର ପ୍ରଭାବ ଏବେଠାରୁ ଦେଖିବାକୁ ମିଳିଲାଣି । ମୁମ୍ବ୍ଧବ ଠାରୁ କେରଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗୁଜରାଟ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିସାରିଛି । ଗୁଜରାଟ ବ୍ୟତୀତ ଅନ୍ୟ ରାଜ୍ୟଗୁଡିକ ବି ସତର୍କ ସୂଚନା ଜାରି କରିଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦୀପ ସହିତ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ସୂଚନା ଦେଇଛି । ଏହାସହ ଗୁଜରାଟର ମାଛଧରାଳୀ ମାନଙ୍କୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Advertisment

‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଏସବୁ ରାଜ୍ୟଗୁଡିକରେ ବର୍ଷା ପବନ ସହ ପାଗର ପରିବର୍ତନ ହେବାରେ ଲାଗିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଜୁନ ୧୫ ତାରିଖରେ ଏହି ବାତ୍ୟାର ପ୍ରଭାବରେ ରାଜସ୍ଥାନ, ଯୋଦ୍ଧପୁର ଓ ଉଦୟପୁରରେ ବର୍ଷା ସହ ପବନ ହେବ । ସେହିଭଳି ଜୁନ ୧୬ ତାରିଖରେ ପଶ୍ଚିମ ରାଜସ୍ଥାନ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ   ।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ବହୁତ ଗମ୍ଭୀର ଚକ୍ରବାତ ତୁଫାନ ବିପର୍ଯ୍ୟୟ ଜୁନ ୧୫ ଉପରବେଳାରେ ଗୁଜରାଟ କଚ୍ଛ ଜିଲ୍ଲାର ଜଖାଓ ବନ୍ଦର ନିକଟରେ ପହଂଚିବ । ଏହି ସମୟରେ ପବନର ଗତି ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ଆଶଂକା କରାଯାଇଛି । ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବା ପରେ ଏହାର ଗତି କମ୍ ହେବ ।

ସେପଟେ ବାତ୍ୟା ବିପର୍ଯ୍ୟୟ ଯେତେ ସ୍ଥଳଭାଗ ନିକଟତର ହେଉଛି ସେହି ଅନୁସାରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗୁଜରାଟର ସମୁଦ୍ର ନିକଟବର୍ତ୍ତି ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାସହ ଉଦ୍ଧାରକାରୀ ଟିମକୁ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ନିୟୋଜିତ କରାଯାଇଛି ।