କନକ ବ୍ୟୁରୋ : ଆସନ୍ତାକାଲି ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ । ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚୀ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ପାଣିପାଗ ବିଭାଗ ଏଭଳି ଅନୁମାନ କରିଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଆସନ୍ତାକାଲି ସଂଧ୍ୟାରେ ବାତ୍ୟା ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳ ଅତିକ୍ରମ କରିବ ।

Advertisment

ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଇତି ମଧ୍ୟରେ ବାତ୍ୟାର ପ୍ରକୋପ ସାମାନ୍ୟ ଦୁର୍ବଳ ହୋଇଥିବା ଜଣାପଡ଼ିଛି । ଗୁଜରାଟର ତଳିଆ ଅଂଚଳରୁ ୨୧ ହଜାର ଲୋକଙ୍କୁ ଖାଲି କରାଯାଇଛି । ସେମାନଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏହି ଭୀଷଣ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ରହିଛି ବୋଲି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ତଳିଆ ଅଞ୍ଚଳ ସୌରାଷ୍ଟ୍ର ଓ କଚ୍ଛରେ ୬ ମିଟର ଉଚ୍ଚରେ ଜୁଆର ଉଠିବ ଏବଂ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ବିପର୍ଯ୍ୟୟ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।