ଗୁରୁବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବିପର୍ଯ୍ୟୟ । ଲ୍ୟାଣ୍ଡଫଲ ପୂର୍ବରୁ ନେଲାଣି ୭ଜଣଙ୍କ ପ୍ରାଣ,ଘଣ୍ଟା ପ୍ରତି ୧୫୦ କିମି ବେଗରେ ବହିପାରେ ପବନ

165

କନକ ବ୍ୟୁରୋ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁରୁବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ଗୁଜରାଟରେ ଜଖଉ ପୋର୍ଟ ଆଖପାଖରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବ କରିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳେ ଘଂଟା ପ୍ରତି ପବନର ବେଗ ୧୨୫ରୁ ୧୩୫ କିଲୋମିଟର ବେଗରେ ରହିବ । ସ୍ଥଳ ବିଶେଷରେ ଘଂଟା ପ୍ରତି ୧୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତଳିଆ ଅଂଚଳରେ ୬ ମିଟର ଉଚ୍ଚରେ ଜୁଆର ଉଠିବ ପାଣିପାଗ ବିଭାଗ ଆକଳନ କରିଛି    । ତେଣୁ ଗୁଜରାଟର ତଳିଆ ଅଂଚଳ ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟ ଦ୍ୱାରିକାରେ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି ।

ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୨୮୦କିଲୋମିଟର, ଦେବଭୂମି ଦ୍ୱାରିକା ଠାରୁ ୨୯୦ ଓ କରାଚି ଠାରୁ ୩୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଚ୍ଛର ତଳିଆ ଅଂଚଳର ୪୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରେସକ୍ୟୁ ଅପରେସନ ପାଇଁ ୧୮ ପ୍ଲାଟୁନ୍ ଏନଡିଆରଏଫ ଟିମ ସହ ବିଏସଏଫ ଓ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି । ବାତ୍ୟା ଯୋଗୁ ଗୁଜରାଟର ଉପକୂଳ ଗିର, ଅମରେଲ, କଚ୍ଛ, ସୋମନାଥ ଆଦି ଜିଲ୍ଲାରେ ବୁଧବାର ଓ ଗୁରୁବାର ଛୁଟି ଘୋଷଣା କରାଯାଇଛି    । ପବନ ଓ ବର୍ଷା ପାଇଁ ପଶ୍ଚିମ ରେଳପଥରେ ଗୁଜରାଟରୁ ମୁମ୍ବାଇ ଚଳାଚଳ କରୁଥିବା ୬୯ ଟ୍ରେନ୍ ବାତିଲ କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସରକାରୀ ଅଧିକାରୀଙ୍କ ସହ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା କରିବା ସହ ଯେପରି କୌଣସି ଜୀବନ ନଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବୁଧବାର ଆଇଏଡିର ପାଣିପାଗ ବୁଲେଟନ ଅନୁଯାୟୀ, ଗତ ୬ ଘଂଟା ହେଲା ବାତ୍ୟା ସମୂଦ୍ର ଭିତରେ ଗୋଟିଏ ସ୍ଥାନରେ ରହିଛି । ପରେ ଏହା ଉତର ଏବଂ ଉତର-ପୂର୍ବ ଆଡକୁ ମୋଡ ନେଇ ଗୁଜରାଟର ମାଣ୍ଡଭୀ ଏବଂ ପାକିସ୍ତାନର କରାଚିରେ ସ୍ଥଳଭାଗ ଛୁଇଁବ ଛୁଇଁପାରେ ବୋଲି ଆକଳନ କରାଯାଇଛି ।