କନକ ବ୍ୟୁରୋ : ବାତ୍ୟା ଅସାନିର ଗତିପଥକୁ ନେଇ ଏବେ ମଧ୍ୟ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଉତର ଆନ୍ଧ୍ର ଉପକୂଳରୁ ବାତ୍ୟା ଅସାନି ରି-କର୍ଭ କରିବ । ଏହାପରେ ଉତର ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳର ସମାନ୍ତରଳ ଭାବେ ଗତି କରିବ । ବାତ୍ୟା ପାରାଦୀପର ସବୁଠାରୁ ନିକଟତର ହେବ ଏବଂ ୧୧୦ କିଲୋମିଟର ଦୂରରୁ ରି-କର୍ଭ ଅର୍ଥାତ ଦିଗ ବଦଳାଇବ । ସେପଟେ ଆମେରିକୀୟ ପାଣିପାଗ ସଂସ୍ଥା ଜଏଂଟ ଟାଇଫୁନ ୱାର୍ଣିଂ ସେଂଟର କହିଛି ବାତ୍ୟା ଅସାନି ବିଶାଖାପାଟନମରେ ଆଂଶିକ ଭାବେ ସ୍ଥଳ ଭାଗ ଛୁଇଁବା ପରେ ରି-କର୍ଭ କରିବ ।
ଆଇଏମଡି ଦେଇଥିବା ବାତ୍ୟା ଅସାନିର ଗତିପଥ । ବାତ୍ୟା ସ୍ଥଳ ଭାଗକୁ ଛୁଇଁବନି, ଉପକୂଳର ନିକଟବର୍ତି ହୋଇ ରିକର୍ଭ କରିଯିବ । ଏହି ଗତିପଥ ଦର୍ଶାଉଛି, ୧୦ ତାରିଖ ସଂଧ୍ୟାରୁ ଉତର ଆନ୍ଧ୍ର ଉପକୂଳରୁ ରିକର୍ଭ ପ୍ରକ୍ରିୟା ଆରମ୍ଭ ହେବ । ଅର୍ଥାତ ବାତ୍ୟା ତା’ର ଦିଗ ବଦଳାଇବ । ଆସନ୍ତା ୧୨ ତାରିଖରେ ଓଡ଼ିଶା ଉପକୂଳର ସବୁଠୁ ନିକଟବର୍ତି ହୋଇପାରେ ବାତ୍ୟା ଅସାନି । ପାରାଦୀପ ଠାରୁ ପ୍ରାୟ ୧୧୦ କିଲୋମିଟର ଦୂରତାରୁ ସମୁଦ୍ର ଭିତରେ ଉତର-ପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବନୁମାନ କରିଛି ଆଇଏମଡି ।
ବାତ୍ୟାର ବାହ୍ୟ ବଳୟରେ ଥିବା ବାଦଲର ଚିତ୍ର ବିଶାଖାପଟନମରେ ଥିବା ଡପଲର ରାଡାରରେ ଦୃଶ୍ୟମାନ ହୋଇଛି । ଆଇଏମଡିର ସାଟେଲାଇଟ ଚିତ୍ର କହୁଛି ଅଧା ଭାରତରୁ ଅଧିକ ଆକାରରେ ଉପକୂଳ ଆଡକୁ ମୁହାଁଉଛି ଅସାନି । କେବଳ ଆଶ୍ୱସ୍ତିର କଥା ହେଉଛି, ପାଣିପାଗ ବିଭାଗ ଆକଳନ କରିଛି, ସ୍ଥଳଭାଗ ଛୁଇଁବନି ବାତ୍ୟା । ଉପକୂଳରୁ ଗତିପଥ ବଦଳାଇ ସମୁଦ୍ରରେ ହିଁ ଦୁର୍ବଳ ହୋଇଯିବ ବାତ୍ୟା । ଏବେ ଭୀଷଣ ସାମୁଦ୍ରିକ ଝଡ଼ ଭାବେ ଉପକୂଳ ମୁହାଁ ହେଉଥିବା ବେଳେ କ୍ରମଶଃ ଏହା ସାମୁଦ୍ରିକ ଝଡ଼ ଓ ପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି ।
ଆମେରିକାର ପାଣିପାଗ ସଂସ୍ଥା ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଂଟର ବା ଜେଟିଡବ୍ଲୁସି, ଯେଉଁ ପୂର୍ବାନୁମାନ କରିଛି ତାହା ଆଇଏମଡି ଠାରୁ ଟିକେ ଅଲଗା । ଜେଟିଡବ୍ଲୁସିର ଆକଳନ ହେଉଛି ବାତ୍ୟା ଅସାନି ୧୧ ତାରିଖ ସକାଳେ ଆନ୍ଧ୍ରର ବିଶାଖାପାଟନମ୍ ଠାରେ ଆଂଶିକ ଭାବେ ସ୍ଥଳଭାଗ ଛୁଇଁବ । କିନ୍ତୁ ପଶ୍ଚିମା ଶୁଷ୍କ ବାୟୁର ପ୍ରଭାବରେ ଏହା ତୀର୍ଯକ ଭାବେ ରି-କର୍ଭ କରିବ ଏବଂ ଉତର-ପୂର୍ବ ଦିଗରେ ଗତି କରିବ ବାତ୍ୟା । କ୍ରମେ ଦୁର୍ବଳ ହୋଇ ବାଙ୍ଗଲାଦେଶ ଉପକୂଳ ମୁହାଁ ହେବ ।