କନକ ବ୍ୟୁରୋ: ଓଡିଶା ଉପକୂଳ ଦେଇ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ ଅମ୍ଫାନ । ଏନେଇ ଭିନ୍ନ ଆକଳନ କରିଛି ନ୍ୟାସନାଲ ସେଂଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟିଂ ତଥା ଏନସିଏମଆରଡବ୍ଲୁଏଫ । ତେବେ କେନ୍ଦ୍ର ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରାଳୟର ଏହି ବିଭାଗ ପାଣିପାଗ ଓ ଜଳବାୟୁ ପରିବର୍ତନ ସଂପର୍କରେ ମଡେଲ ପ୍ରସ୍ତୁତ କରିଥାଏ । ଏହି ସଂସ୍ଥା ଦ୍ୱାରା ଦିଆଯାଇଥିବା ସାଟେଲାଇଟ ଚିତ୍ରରେ ବାତ୍ୟା ଅମ୍ଫାନ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ର ଭାଗରେ ଥିବା ଲଘୁଚାପ ଅବପାତର ରୂପ ନେଇ ଆଜି ସଂଧ୍ୟା ସୁଧା ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ ।
ଯଦିଓ ବାତ୍ୟାର ଗତିପଥ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ରହଛି କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବା ନେଇ ଏନସିଏମଆରଡବ୍ଲୁଏଫ୍ ପକ୍ଷରୁ ଦର୍ଶା ଯାଇଥିବା ଚିତ୍ରରୁ ଜଣାପଡୁଛି । ସେପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବେଶି ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଏସବୁ ଜିଲ୍ଲା ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେହିଭଳି ୧୨ଟି ଜିଲ୍ଲା ତଥା ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ଅନ୍ୟପଟେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟାରେ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ । ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ବଙ୍ଗୋପସାଗରରେ ଜଳବାୟୁର ସ୍ଥିତି ବାତ୍ୟାକୁ ସୁହାଉଛି ବୋଲି ଆକଳନ କରାଯାଉଛି । ୨୦ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ତେବେ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଓଡିଶା ଉପରେ କି ପ୍ରଭାବ ପକାଇବ କିଂବା କେଉଁଠି ଏହା ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ କରି ପାରନି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ ପଶ୍ଚିମବଙ୍ଗ, ଓଡିଶା ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/11-10.jpg)