ମହାମାରୀ ବେଳେ ମହାବାତ୍ୟା ମୁକାବିଲା କରିଥିବାରୁ ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ମୋଦି । କହିଲେ ନବୀନ ବାବୁଙ୍କ ଟିମ୍ ଭଲ ପ୍ରଦର୍ଶନ କରିଛନ୍ତି, ବାତ୍ୟା ମୁହଁରୁ ଜୀବନ ବଞ୍ଚାଇଛନ୍ତି…

335

କନକ ବ୍ୟୁରୋ: ଓଡିଶାକୁ ଭୁରି ଭୁରି ପ୍ରଶଂସା କଲେ ମୋଦି । ପ୍ରାକୃତିକ ଦୁର୍ବିପାକ ମୁକାବିଲା କ୍ଷେତ୍ରରେ ଓଡିଶାର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶା ବାସୀ ବହୁତ ଭଲଭାବେ ବାତ୍ୟାର ମୁକାବିଲା କରିଥିବା କହିଛନ୍ତି ମୋଦି । ଓଡିଶା ସରକାରଙ୍କ ଟିମ ଏଦିଗରେ ନେଇଥିବା ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ନବୀନ ବାବୁଙ୍କ ଟିମ୍ ଲୋକଙ୍କ ପାଖରେ ସମସ୍ତ ବ୍ୟବସ୍ଥା ପହଞ୍ଚାଇଥିବାରୁ ବାତ୍ୟା କବଳରୁ ଜୀବନ ବଞ୍ଚିଯାଇଛି । ମହାମାରୀ ବେଳେ ବି ମହାବାତ୍ୟାକୁ ଓଡିଶା ସରକାର ବେଶ ଭଲ ଭାବେ ମୁକାବିଲା କରିଛନ୍ତି ।

ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ମହାବାତ୍ୟା ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନତା ଅଭିଯାନ ଫଳରେ ସମ୍ପତ୍ତି ନଷ୍ଟ ହୋଇଥିଲେ ବି ଜୀବନ ବଂଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର । ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ମୁକାବିଲା ଲାଗି ସୁବ୍ୟବସ୍ଥିତ ପରିଚାଳନା ହେଲା ସେ ସପଂର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିସହ ସୂଚନା ଦେଇଥିଲେ, ଜୀବନ ବଂଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢ଼ୁଥିବା ବେଳେ ସୁପର ସାଇକ୍ଲୋନ ଭଳି ସଂକଟ ପଂହଚିଗଲା । ଏହା ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରିଚାଳନା କରାଯାଇ ଜୀବନ ବଂଚାଗଲା ତାହା ଏକ ବଡ଼ ସଫଳତା । ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛି ବୋଲି ମୋଦି କହିଛନ୍ତି । ମୋଟାମୋଟି ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ଲାଗି କରିଥିବା କାମ ଉପରେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ସଫଳତାର ଏକ ବଡ଼ ମୋହର ଲଗାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି । ମୋଦୀ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ । ଏଥିସହ ସେ କହିଥିଲେ, କୋଭିଡ୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ।