ବିରାଟକାୟ ଆକୃତି ନେଇ ଉପକୂଳ ଆଡକୁ ଆସୁଛି ଅମ୍ଫାନ । ୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା ।

1,692

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାରାଦୀପ ଠାରୁ ପ୍ରାୟ ୯୬୦ କିମି ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଚିତ୍ର ବୟାନ କରୁଛି, ଏକ ବିରାଟକାୟ ଆକୃତି ନେଇ ବାତ୍ୟା ଅମ୍ଫାନ ଉପକୂଳ ଆଡକୁ ଧୀରେଧୀରେ ଆସୁଛି । ପ୍ରତି ଘଂଟାରେ ମାତ୍ର ୩କିମି ବେଗରେ ଗତି କରୁଥିବା ଏହି ବାତ୍ୟା ଯେତିକି ଉପକୂଳର ନିକଟବର୍ତୀ ହେଉଛି ସେତିକି ଶକ୍ତିଶାଳୀ ବି ହେଇଚାଲିଛି । ଏହାର ଆକାର ଓ ଧୀମାବେଗ ଏହାର ତୀବ୍ରତାକୁ ଆହୁରି ବଢାଇଦେବ ବୋଲି ଆଶଙ୍କା କରାଯାଉଛି । ରବିବାର ସନ୍ଧ୍ୟା ୬ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇଛି । ତାସାଙ୍ଗକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଜଳବାୟୁର ଅନୂକୁଳ ସ୍ଥିତି ଏହାକୁ ବଡରୂପ ନେବାରେ ସହାୟକ ହେଉଛି ।

ବାଲେଶ୍ୱର, ଭଦ୍ରକ କଡେକଡେ ଯେତେବେଳେ ଏହି ବାତ୍ୟା ଉତ୍ତର ଦିଗକୁ ଅର୍ଥାତ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଥିବ ସେତେବେଳେ ପବନର ବେଗ ଏହି ଜିଲ୍ଲା ଗୁଡିକରେ ୭୫ରୁ ୧୧୭କିଲୋମିଟର ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ବାଲେଶ୍ୱରର କିଛି ଅଂଚଳରେ ୧୧୮କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ୨୦ତାରିଖ ଅପରାହ୍ନ ଓ ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗର ଦୀଘା ଓ ବାଙ୍ଗଲାଦେଶର ହାତିଆ ଦୀପ ମଝିରେ ଲ୍ୟାଣ୍ଡଫଲ ବା ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି । ତେବେ ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟାର ତୀବ୍ରତା କମିଯିବା ନେଇ ଅନୁମାନ କରାଯାଉଛି । ୨୦ତାରିଖ ସକାଳ ୬ଟା ପରେ ବାତ୍ୟା ଏକ୍ସଟିମିଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ସିଭିୟର ଷ୍ଟାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଅର୍ଥାତ ବାତ୍ୟାର ତୀବ୍ରତା କିଛି ମାତ୍ରାରେ କମିଯାଇଥିବ ।

ପାଣିପାଗ ବିଭାଗର ବିଜ୍ଞାନୀଙ୍କ ଆକଳନ ଅନୁସାରେ ୧୯ତାରିଖ ବେଳକୁ ଏହି ବାତ୍ୟା ୨୦୧୯ର ଫୋନି ବାତ୍ୟାଭଳି ଭୟଙ୍କର ହେବ । ତେବେ ଏହି ସମୟରେ ବାତ୍ୟାର ଅବସ୍ଥିତି ସମୁଦ୍ର ଭିତରେ ଥିବ । ତେଣୁ ଏହାର ଭୟାବହତା ସ୍ଥଳଭାଗରେ ସେତେଟା ଅନୁଭୁତ ନହୋଇପାରେ । ତେବେ ବାତ୍ୟା ଉତ୍ତର ଦିଗରେ ଗତି କରୁଥିବା ବେଳେ ଉତ୍ତରପୂର୍ବ ଆଡକୁ ବାତ୍ୟାର ମୁହଁ ରହିଛି, କିନ୍ତୁ ଯଦି ଏହା ପଶ୍ଚିମ ଆଡକୁ ମୁହାଁଏ ତେବେ ଓଡିଶା ଅଧିକ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।