ପଶ୍ଚିମ ବଙ୍ଗ ଆଡକୁ ମାଡି ମାଡି ଚାଲିଛି ‘ଅମ୍ଫାନ’; ପାରାଦୀପରୁ ୧୫୫ କିମି ଦୂରରେ ଅବସ୍ଥିତ; ଘଂଟାକୁ ୧୪ କିମି ବେଗରେ ଗତି କରୁଛି ଅତି ଭୟଙ୍କର ସାମୁଦ୍ରିକ ଝଡ

9,613

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଏବେ ଦୁର୍ବଳ ହୋଇ ଏକ୍ସଟ୍ରିମ୍ଲି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଛି । ଏହା ଉତର- ଉତରପୂର୍ବ ଦିଗରେ ଆଗକୁ ବଢୁଛି । ଧିରେ ଧିରେ ଏହାର ବେଗ କମି କମି ଚାଲିଛି । ଏବେ ଘଂଟାକୁ ଏହାର ବେଗ ପ୍ରାୟ ୧୧ କିଲୋମିଟର ରହିଛି । ପାରାଦୀପଠାରୁ ଦକ୍ଷିଣରେ ପ୍ରାୟ ୧୫୫ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ଆଜି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଏହି ସମୟରେ ସର୍ବାଧିକ ପବନର ବେଗ ୧୮୫ କିଲୋମିଟର ଯାଏଁ ମଧ୍ୟ ହୋଇପାରେ ।

ଓଡିଶାରେ ଉପକୂଳ ନିକଟ ଦେଇ ଗତି କରୁଥିବା ଏହି ବାତ୍ୟାର ପ୍ରଭାବ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ଅନୁଭୂତ ହେଉଛି । ସମୁଦ୍ର ଅଶାନ୍ତ ହୋଇପଡିଥିବା ଉଚ୍ଚ ଜୁଆର ଦେଖିବାକୁ ମିଳିଛି ର୍ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ଧିରେ ଧିରେ ବଢିବାରେ ଲାଗିଛି । ବାତ୍ୟା ଅମ୍ଫାନ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଂଜ ଆଦି ଜିଲ୍ଲାରେ ବେଶ୍ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାରେ ଘଂଟାକୁ ୧୦୦ରୁ ୧୧୦ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଏହା ୧୨୫ କିରୋମିଟର ଯାଏଁ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଓଡିଶାରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖାଦେଇପାରେ ।