ଆଜି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଅମ୍ଫାନ: ପାରାଦୀପଠାରୁ ୮୨୦ କିମି ଦୂରରେ ୧୩ କିମି ବେଗରେ କରୁଛି ଗତି; ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା

408

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ଭେରି ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୧୩ କିଲୋମିଟର ବେଗରେ ଉତର-ଉତର- ପୂର୍ବ ଦିଗରେ ଗତି କରୁଛି । ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାରାଦୀପ ଠାରୁ ଦକ୍ଷିଣକୁ ପ୍ରାୟ ୮୨୦ କିମି ଦୂରରେ ରହିଛି । ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ- ଦକ୍ଷିଣ-ପଶ୍ଚିମ ଦିଗରେ ୯୮୦ କିଲୋମିଟର ଓ ବାଙ୍ଗଲାଦେଶ ଖେପୁଆରାର ଦକ୍ଷିଣ- ଦକ୍ଷିଣପଶ୍ଚିମରେ ୧୦୯୦ କିଲୋମିଟର ଦୂରରେ ରହିଛି ।

ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ ତାପରେ ଉତର-ଉତରପୂର୍ବକୁ ଦିଗ ବଦଳାଇ ଉତରପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ ଏବଂ ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟାର ତୀବ୍ରତା କମିଯିବା ନେଇ ଅନୁମାନ କରାଯାଉଛି । ୨୦ତାରିଖ ସକାଳ ୬ଟାପରେ ବାତ୍ୟା ଏକ୍ସଟିମିଲି ସିଭିୟର ସାଇକ୍ଲନିକ ଷ୍ଟର୍ମରୁ ସିଭିୟର ଷ୍ଟାଇକ୍ଲନିକ ଷ୍ଟର୍ମରେ  ପରିଣତ ହେବ । ଅର୍ଥାତ ବାତ୍ୟାର ତୀବ୍ରତା କିଛି ମାତ୍ରାରେ କମିଯାଇଥିବ ।