ସମୁଦ୍ର ଭିତରେ ସୁପର ସାଇକ୍ଲୋନର ରୂପ ନେଇଛି ଅମ୍ଫାନ । ସୁନ୍ଦରବନରେ ଲ୍ୟାଣ୍ଡଫଲ ବେଳେ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ । ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ବଢିବ ପବନର ବେଗ । କଚ୍ଚା ଘର ସହ ଗଛ ଉପୁଡି ପଡିବାର ଆଶଙ୍କା

1,315

କନକ ବ୍ୟୁରୋ: ବଙ୍ଗୋପ ସାଗରର ପଶ୍ଚିମ କେନ୍ଦ୍ର ଓ ଦକ୍ଷିଣ ଭାଗର କେନ୍ଦ୍ରୀୟ ଅଂଶରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ ବା ମହାବତ୍ୟା ଏବେ ସମୁଦ୍ର ଭିତରେ ଗତି କରୁଛି । ସୋମବାର ସକାଳ ପ୍ରାୟ ସାଢେ ୧୧ଟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ବା ଅତି ଭିଷଣ ବାତ୍ୟାରୁ ଏହି ଝଡ ସୁପର ସାଇକ୍ଲୋନ ବା ମହାବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ଭାଗରେ ବର୍ତମାନ ପ୍ରାୟ ୨୩୦ରୁ ୨୪୦ କିଲୋମିଟର ବେଗରେ ପବନ ବହୁଛି । ପବନର ବେଗ ଘଂଟା ପ୍ରତି ୨୬୫ କିଲୋମିଟର ପର୍ଯ୍ୟନ୍ତ ବି ଯାଉଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ମହାବାତ୍ୟା ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ମହାବାତ୍ୟା ବୋଲି କୁହାଯାଉଛି । ଫରକ୍ ହେଉଛି ସେତେବେଳେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଝଡ ମହାବାତ୍ୟା ରୂପରେ ଆସିଥିଲା, ଏବେ କିନ୍ତୁ ସମୁଦ୍ର ଭିତରେ ଏହି ମହାବାତ୍ୟା ସୃଷ୍ଟି ହୋଇଛି । ଏବଂ ସ୍ଥଳ ଭାଗକୁ ଆସିବା ବେଳକୁ ଏହା କିଛି ପରିମାଣର ଦୁର୍ବଳ ହୋଇ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ବା ଅତି ଭିଷଣ ବାତ୍ୟାର ରୂପ ନେଇଥିବ ।

୧୯ ତାରିଖ ଅର୍ଥାତ ମଙ୍ଗଳବାର ରାତି ସାଢେ ୧୧ଟାରେ ଏହି ଝଡ ସୁପର ସାଇକ୍ଲୋନରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପରିଣତ ହେବ । ଏହାପରେ ୨୦ ତାରିଖ ଅର୍ଥାତ୍ ବୁଧବାର ଅପରାହ୍ଣ ଓ ସଂଧ୍ୟା ଭିତରେ ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଅନୁମାନ କରାଯାଉଛି, ସେତେବେଳେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୯୦ କିଲୋମିଟର ରହିବ । ଏବଂ ଝଡର ଆଖି ସୁନ୍ଦରବନ ଦେଇ ଗତି କରିବ । ଯେଉଁ ଝଡର ଆଖି ସୃଷ୍ଟି ହୋଇଥାଏ, ସେଇ ଝଡ ସାଙ୍ଘାତିକ ହୁଏ ବୋଲି କୁହାଯାଏ । ପ୍ରାୟ ୩୦ରୁ ୬୫ କିଲୋମିଟର ଯାଏଁ ଏହି ଆଖି ବ୍ୟାପିଥାଏ । ଏବଂ ଏହା ଗୋଲାକାର ଆକୃତିର ହୋଇଥାଏ । ରୋଚକ କଥା ହେଉଛି, ଝଡ ଯେତେବେଳେ ଗତି କରେ ଏହି ଆଖି ଗତି କରୁଥିବା ସ୍ଥାନ ସଂପୂର୍ଣ୍ଣ ଶାନ୍ତ ଥାଏ, କିନ୍ତୁ ଏହାର ଚାରିପଟେ ଧ୍ୱଂସଲିଳା ଘଟି ଚାଲିଥାଏ ।

ତେବେ ଏହି ଝଡ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଥିବା ବେଳେ ଏହାର ପ୍ରଭାବ ଓଡିଶାର ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଂଜରେ ଦେଖାଯିବ । ଏହି ଜିଲ୍ଲାରେ କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି । ଏହି ଅଂଚଳରେ ଗଛ ମଧ୍ୟ ଉପୁଡି ପଡିବ, ଏବଂ ବିଦ୍ୟୁତ ଖୁଂଟ ଉପୁଡି ଯିବା କିମ୍ବା ବଙ୍କା ହୋଇଯିବାର ଆଶଙ୍କା ରହିଛି । ବିଲରେ ଥିବା ଫସଲ, ନଡିଆ ଗଛ, ଖଜୁରୀ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତେଣୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।