ବାତ୍ୟା ଅମ୍ଫାନ ନେଇ ହୋଇଥିଲା ସଠିକ୍ ଆକଳନ । ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଲେ, ସାଢ଼େ ୩ ଦିନ ପୂର୍ବରୁ ଠିକ୍ ପୂର୍ବାନୁମାନ ଯୋଗୁଁ କମିଲା ମୃତ୍ୟୁ ସଂଖ୍ୟା

210

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ନେତୃତ୍ୱ ନେଉଥିବା ମୃତ୍ୟୁଞ୍ଜୟ ମହାପାତ୍ର ଜଣେ ଓଡିଆ । ପାଣିପାଗ ବିଭାଗ ଆଜି ସାରାଦେଶରୁ ଧନ୍ୟବାଦ ସାଉଁଟୁଛି । ଯେଉଁଭଳି ଭାବରେ ଏଥର କରାଯାଇଥିବା ପୂର୍ବାନୁମାନ ସତ ହେଲା ଏହା ଟେକ୍ନୋଲଜିର ପ୍ରୟୋଗରେ କିଭଳି ବାତ୍ୟା ଭଳି ବିପର୍ଯ୍ୟୟକୁ ବହୁଆଗରୁ ସୂଚନା ଦିଆଯାଇପାରିବ ତାର ପ୍ରମାଣ ବୋଲି ଆଜି ଡକ୍ଟର ମହାପାତ୍ର କହିଥିଲେ ।

ଦିନ ଥିଲା ଯେତେବେଳେ ପାଣିପାଗ ବିଭାଗର କଥାକୁ ଆମେ ଶତ ପ୍ରତିଶତ ବିଶ୍ୱାସ କରିବା ସମ୍ଭବ ହେଉନଥିଲା । ଏବେ ସମୟ ବଦଳିଛି । କେତେବେଳେ କେଉଁଠି ଆଉ କେତେ ବେଗରେ ପବନ ବୋହିବ ତାର ସଠିକ ଅନୁମାନ କରାଯାଇପାରୁଛି । ବାତ୍ୟା ଅମ୍ଫାନ କ୍ଷେତ୍ରରେ ଏହାର ପ୍ରମାଣ ମିଳିଛି । ଯେତେବେଳେ ବିଦେଶୀ ପାଣିପାଗ ସଂସ୍ଥାମାନେ ଅମ୍ଫାନ ସମ୍ପର୍କରେ ସଠିକ ପୂର୍ବାନୁମାନ କରିପାରୁନଥିଲେ ସେତେବେଳେ ଆମ ଦେଶୀ ବୈଜ୍ଞାନିକମାନେ ବାତ୍ୟା ସମ୍ପର୍କରେ ଦେଇଥିବା ତଥ୍ୟ ଏବେ ଆମ ପ୍ରତି ନିଜର ବିଶ୍ୱାସକୁ ବଢାଇଦେଇଛି ।

ଭାରତୀୟ ବୈଜ୍ଞାନିକଙ୍କ ପାରଦର୍ଶିତା ଆଉ ଥରେ ପ୍ରମାଣ ହୋଇଛି ଯେତେବେଳେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଥିଲା ସେତେବେଳେ ଆରମ୍ଭ ହୋଇଥିଲା ବାତ୍ୟାର ବିଭିଷିକା । ପଶ୍ଚିମବଙ୍ଗର କୋଲକାତା, ହୁଗଲି, ହାଓଡା, ଦକ୍ଷିଣ ଏବଂ ଉତର ୨୪ ପ୍ରଗଣା ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ବାତ୍ୟା ରଚିଥିଲା ତାଣ୍ଡବ ଲୀଳା । ଅମ୍ଫାନ ମାଡରେ ୭୨ଜଣଙ୍କ ଜୀବନ ଯାଇଛି ପଶ୍ଚିମବଙ୍ଗରେ । ରାସ୍ତାରେ ଉପରେ ଭାଙ୍ଗି ପଡ଼ିଥିଲା ବଡ ବଡ ଗଛ । ବିଜୁଳି ଖୁଂଟ ଉପୁଡ଼ି ପଡ଼ିଥିଲା । କୋଲକାତା ଆଖପାଖ ସହରରେ ପ୍ରାୟ ୧୧୨ କିଲୋମିଟର ବେଗରେ ପବନ ବୋହୁଥିଲା । ପ୍ରଭାବରେ ଭାଙ୍ଗି ଯାଇଥିଲା କୋଠା ଘର ଝରକାର କାଚ । କୋଲକାତା ସହରରେ ପ୍ରାୟ ସାଢ଼େ ୫ ହଜାରରୁ ଅଧିକ ଘର ଭାଙ୍ଗିଗଲା । କୋଲକାତାରେ ଶହ ଶହ ସଂଖ୍ୟାରେ ଯାତ୍ରୀବାହୀ ବସ୍ କ୍ଷତିଗ୍ରସ୍ତ ହୋଇଛନ୍ତି ।

ବଡ ବଡ ଗଛ ଉପୁଡି ପଡି ବସ୍ ଉପରେ ଖସି ପଡିଛି । ଗଛ ତଳେ ଚାପି ହୋଇ ଭାଂଗିରୁଜି ଯାଇଛି ବସ । ଘଂଟାପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଥିଲା ଏଠାରେ । ହାୱଡା ବ୍ରିଜରୁ ଆସିଥିବା ଏହି ଚିତ୍ର ବି ସ୍ପଷ୍ଟ କରୁଛି କିପରି ଥିଲା ଅମ୍ଫାନର ତାଣ୍ଡବ । ହାୱାଡ଼ା ବ୍ରିଜ୍ ଉପରେ ଥିବା ସ୍ପିଡ୍ ବ୍ରେକର ଓ ବ୍ୟାରିକେଟ୍ ଗୁଡ଼ିକ ପବନ ମାଡ଼ରେ ଉଠିଯାଇଥିଲା । ପବନ ଏତେ ଜୋରରେ ହେଉଥିଲା ଯେ, ଗୋଟିଏ ଘରର ଟିଣ ଛପର ସଂପୂର୍ଣ୍ଣ ଉଡାଇ ନେଇଥିଲା । ତିନି ମହଲା ବିଶିଷ୍ଟ ଏହି ଘରର ଉପର ଅଂଶ ଭାବରେ ଥିବା ଟିଣ ଛପରକୁ ଉଠାଇ ନେଇଥିଲା ପବନ । ବାତ୍ୟା ଅମ୍ଫାନର ତାଣ୍ଡବରେ ଓଡିଶାରେ ଯାଇଛି ୩ ଜୀବନ । ଏବେ ଚାଲିଛି ପୁନରୁଦ୍ଧାର କାମ । ଯୁଦ୍ଧକାଳିନ ଭିତିରେ ଭାଙ୍ଗିପଡିଥିବା ଗଛକୁ ରାସ୍ତାରୁ ସଫା କରାଯାଉଛି । ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଆକଳନ କରାଯିବା ସହ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରାଯାଉଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ପଶ୍ଚିମବଙ୍ଗ ଏବଂ ଓଡିଶା ପାଇଁ ସମବେଦନା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କହିଛନ୍ତି ମୋଦି ।