ବଢୁଛି ଅମ୍ଫାନର ପ୍ରକୋପ: ପାରାଦୀପରେ ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ; ପ୍ରବଳ ବର୍ଷା ପବନ ମାଡରେ ଭାଙ୍ଗିଲା ବଡ ବଡ ଗଛ, ଉପୁଡିଲା ବିଜୁଳି ଖୁଂଟ

1,315

କନକ ବ୍ୟୁରୋ: ଦିନ ବଢୁଛି, ବାତ୍ୟାର ପ୍ରକୋପ ମଧ୍ୟ ଧିରେ ଧିରେ ବଢୁଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଧିରେ ଧିରେ ବଢିଚାଲିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଏବେ ଭୀଷଣ ରୂପ ନେଇ ଉତର- ଉତରପୂର୍ବ ଦିଗରେ ଆଗକୁ ବଢିଚାଲିଛି । ଆଉ ଏହାର ପ୍ରଭାବ ଓଡିଶା ଉପକୂଳ ବର୍ତ୍ତୀ ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ପ୍ରବଳ ବର୍ଷା ଓ ଭୀଷଣ ପବନରେ କେଉଁଠି ଶହ ଶହ ପାନବରଜ ନଷ୍ଟ ହୋଇ ଭୂଇଁରେ ଲୋଟି ପଡିଲାଣି ତ ପୁଣି କେଉଁଠି ମହାବାତ୍ୟା ଅମ୍ଫାନର ପ୍ରଭାବରେ କଚ୍ଚା ଘର ଭାଙ୍ଗିଗଲାଣି, ଆଜବେଷ୍ଟସ୍ ଉଡିଗଲାଣି । ବାତ୍ୟାର ପବନ ମାଡରେ ପାରାଦୀପରେ ବିଜୁଳି ଖୁଂଟ, ଟେଲିଫୋନ ଟାୱାର, ବଡ ବଡ ଗଛ ଉପୁଡିପଡିଥିବା ନେଇ ସୂଚନା ମିଳିଛି ।

ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବାତ୍ୟା ଅମ୍ଫାନ ଆଜି ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ଏହି ସମୟରେ ସର୍ବାଧିକ ପବନର ବେଗ ୧୮୫ କିଲୋମିଟର ଯାଏଁ ମଧ୍ୟ ହୋଇପାରେ ।