ଅମ୍ଫାନ ଆସିଲା, ଦାଗ ଦେଇଗଲା: ପଶ୍ଚିମବଙ୍ଗରେ କରାଳରୂପ ନେଇ ୭୨ ଜୀବନ ନେଲା ସର୍ବନାଶ କରିଦେଲା । ଆମ୍ଫାନ ଆଁରେ ଛାରଖାର ପୂରା ପଶ୍ଚିମବଙ୍ଗ

242

କନକ ବ୍ୟୁରୋ: ବାତ୍ୟା ବଦଳାଇଦେଇଛି କୋଲକାତାର ଚିତ୍ର । ଗୋଟିଏ ଦିନରେ ବଦଳିଯାଇଛି ସର୍ବପୁରାତନ ସହରର ନକ୍ସା । ରାସ୍ତା ଉପରେ ଭାଙ୍ଗି ପଡିଛି ବିଶାଳ ଗଛ । କାରକୁ ଚାପି ଦେଇଛି ବଡ ବଡ ହୋଡିଂ ଓ ଗଛ । ଗାଡି ମୋଟର ଚୁରମାର ହୋଇଯାଇଛି । ଓଲଟି ପଡିଛି ବସ ଓ ଟ୍ରକ୍ । ଉଡିଯାଇଛି ଘରର ଛାତ । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ସାରା ସହର ।

ଇଂରେଜ ଅମଳର ଐତିହାସିକ ଭିକ୍ଟୋରିଆ ମେମୋରିଆଲକୁ ମଧ୍ୟ ଲାଗିଛି ଅମ୍ଫାନର ଝଟକା । ଛାରଖାର ହୋଇଯାଇଛି ମେମୋରିଆଲ ଭିତର ସୌନ୍ଦର୍ଯ୍ୟ । ସହର ସାରା ଭର୍ତି, ଭଙ୍ଗା ହୋର୍ଡିଂ । ଚାରିଆଡେ ବାତ୍ୟା ଛାଡିଯାଇଥିବା ଧ୍ୱଂସର ଚିତ୍ର । ସିଟି ଅଫ ଜଏରେ ବିତ୍ପାତ ରଚିଛି ବାତ୍ୟା । ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ କୋଟି କୋଟି ଟଙ୍କାର କ୍ଷତି । ପ୍ରବଳ ପବନ ଘର ଛାତ ଉଡାଇ ନେଇଛି । ଘର ଭିତରେ ପାଣି ଭର୍ତି ହୋଇରହିଛି । ଏମିତି ଶହ ଶହ ଘରକୁ କ୍ଷଣିକ ଭିତରେ ନଷ୍ଟ କରିଦେଇଛି ଅମ୍ପାନ ।

କୋଲକାତା ବିମାନବନ୍ଦରର ଚିତ୍ର । ବନ୍ଦର ପରିସରରେ ବନ୍ୟା ପରିସ୍ଥିତି । ଚାରିଆଡେ ପାଣି ଘେରି ରହିଛି । ୬ ଘଂଟାର ବର୍ଷାରେ ରନ୍ୱେ ଓ ହ୍ୟାଙ୍ଗର ଅଂଚଳ ପାଣିରେ ବୁଡି ରହିଛି ।  ରେଲୱେ ଷ୍ଟେସନ୍ର ଅବସ୍ଥା ବି ସମାନ । ରେଳ ଟ୍ରାକ୍, ପାର୍କିଂ ସ୍ଥଳ, ଅଫିସ ସବୁଠି ଜମିିଛି ଆଂଠୁଏ ପାଣି । ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଆଉ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଝଡତୋଫାନ ସହରରେ ବ୍ୟାପକ ଭଙ୍ଗାରୁଜା କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଛି କୃତ୍ରିମ ବନ୍ୟା । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ।

ବାତ୍ୟା ଓ ବର୍ଷା ଛାଡିଯିବା ପରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ସହରକୁ ସଜାଡିବାକୁ ଅଂଟା ଭିଡିଛି ପ୍ରଶାସନ । ରାସ୍ତାରେ ଭାଙ୍ଗିପଡିଥିବା ଗଛକୁ କାଟି ସଫା କରାଯାଉଛି । ବିଦ୍ୟୁତ ଖୁଂଟ ଓ ହୋର୍ଡିଂକୁ ଉଠାଯାଇଛି । ବାତ୍ୟା ଅମ୍ପାନ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିବା ବେଳେ କୋଲକାତାରେ ତାର କରାଳ ରୂପ ଦେଖାଇଛି । ଆଉ, କ୍ଷୟକ୍ଷତିର ଏହି ଚିହ୍ନ ଲିଭିବାକୁ ଅନେକ ଦିନ ଲାଗିଯିବ ।