କନକ ବ୍ୟୁରୋ: ଭୀଷଣ ରୂପ ନେଇ ମାଡି ଚାଲିଛି ସାମୁଦ୍ରିକ ଝଡ ଅମ୍ଫାନ । ସୁ ସୁ ଗର୍ଜନ କରି ତାଣ୍ଡବ ରଚି ସ୍ଥଳଭାଗ ମୁହାଁଉଛି ଅମ୍ଫାନ । ସମୟ ବଢିବା ସହ ଅମ୍ଫାନର ପ୍ରକୋପ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ତେବେ ଯେଉଁ ରାସ୍ତାରେ ଗତବର୍ଷ ବୁଲ୍ ବୁଲ୍ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ।
ତେବେ ଦିନ ୧୦ଟାରୁ ପବନର ବେଗ ଆହୁରି ବଢିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବାତ୍ୟା ଅମ୍ଫାନ ପ୍ରଭାବରେ ଆଜି ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ପବନର ତୀବ୍ରତା ଅନୁଭୂତ ହେବ । ବର୍ତ୍ତମାନ ପୁରୀଠାରୁ ଦୂରରେ ରହିଛି ବାତ୍ୟା ଅମ୍ଫାନ । ସନ୍ଧ୍ୟା ବେଳେ ବାଲେଶ୍ୱର ଓ ଭଦ୍ରକରେ ବର୍ଷା ପରିମାଣ ବଢିବ । ଦିନ ୧୧ଟା ପରେ ଆହୁରି ଖରାପ ହେବ ପାଣିପାଗ । ତେଣୁ ପୁରୀ, ପାରାଦୀପ, ଜଗତସିଂହପୁର ପାଇଁ ରହିବ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର ।
ସେହିଭଳି ସାମୁଦ୍ରିକ ଝଡ ଅମ୍ଫାନ ପ୍ରଭାବରେ ଅଧିକ ପ୍ରଭାବିତ ହେବ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ପାରାଦୀପଠାରୁ ୧୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ଫାନ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ୧୫୫-୧୬୫କିମି ବେଗରେ ବହିବ ପବନ । ଉତ୍ତର ଓଡିଶା ଉପକୂଳରେ ତୀବ୍ର ବେଗରେ ପବନ ବହୁଛି । ଭଦ୍ରକ ଓ ବାଲେଶ୍ୱରରେ ଧୀରେ ଧୀରେ ବାତ୍ୟା ପ୍ରକୋପ ବଢିବ । ଜଗତସିଂହପୁରରୁ ବର୍ତ୍ତମାନ ଦୂରେଇବାରେ ଲାଗିଛି ବାତ୍ୟା । ଏନେଇ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସୂଚନା ।
ସେପଟେ, ବାତ୍ୟା ଅମ୍ଫାନ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ଚାନ୍ଦବାଲିରେ ୬୦.୪ମିମି, ଭୁବନେଶ୍ୱରରେ ୪୫.୬ମିମି, ବାଲେଶ୍ୱରରେ ୫୨.୨ମିମି, ପୁରୀରେ ୮୨ମିମି , ଗୋପାଳପୁରରେ ୮.୬ମିମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୧୦୬,ଚାନ୍ଦବାଲିରେ ୭୪, ଭୁବନେଶ୍ୱରରେ ୫୬, ବାଲେଶ୍ୱରରେ ୫୯, ପୁରୀରେ ୩୯ ଓ ଗୋପାଳପୁରରେ ୪କିମି ବେଗରେ ଘଂଟା ପ୍ରତି ପବନ ବହୁଛି । ଆଜି ଅପରାହ୍ଣରେ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ଫାନ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ରହିବ ୧୫୫-୧୬୫ କିଲୋମିଟର।
ସେହିଭଳି ନିଆଳି ଅଞ୍ଚଳରେ ବାତ୍ୟା ଅମ୍ଫାନ ପ୍ରଭାବ ଅନୁଭୂତି । ରାତିରୁ ଜାରି ରହିଛି ବର୍ଷା, ତୀବ୍ର ବେଗରେ ବହୁଛି ପବନ । ପବନ ମାଡରେ ଭାଙ୍ଗିଲା ଶହ ଶହ ପାନବରଜ । ବାତ୍ୟା ଅମ୍ଫାନ ଯୋଗୁଁ ତାଳସାରିରେ ସମୁଦ୍ର ଅଶାନ୍ତ । ତାଳସାରିରେ ଉଠୁଛି ୨୦ଫୁଟ୍ ଉଚ୍ଚର ଜୁଆର । ଅମ୍ଫାନ ପ୍ରଭାବରେ ଜାରି ରହିଛି ବର୍ଷା । ବାଲେଶ୍ୱର ଜିଲ୍ଲାରେ ଅମ୍ଫାନ ପ୍ରଭାବ ଅନୁଭୂତ । ସମୁଦ୍ର କୂଳରେ ଉଠିଲା ବଡ ବଡ ଜୁଆର । ୪୫ରୁ ୫୦ କିମି ବେଗରେ ବହୁଛି ପବନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/9-12.jpg)