ଭୟଙ୍କର ରୂପ ନେଇପାରେ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସାମୁଦ୍ରିକ ଝଡ଼ । ବିଭିନ୍ନ ପାଣିପାଗ ସଂସ୍ଥାର ଆକଳନ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସହ ୧୫୦କି.ମି.ରେ ପହଁଚିପାରେ ପବନର ବେଗ, ପଶ୍ଚିମବଙ୍ଗ ,ଓଡିଶା-ପଶ୍ଚିମବଙ୍ଗ ସୀମା କିମ୍ବା ବାଂଲାଦେଶରେ ହୋଇପାରେ ଲ୍ୟାଣ୍ଡଫଲ ।

5,007

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଥିବାବେଳେ ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଏହି ଚିତ୍ର ବୟାନ କରୁଛି ଯେ ଏହି ବାତ୍ୟା ଆମ୍ଫାନ ତୀବ୍ର ରୂପ ନେବାର ଆଶଙ୍କା ରହିଛି । ୧୬ ତାରିଖ ସନ୍ଧ୍ୟା ବେଳକୁ ଏହା ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇ ସାରିଥିବ । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି ବାତ୍ୟା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ଏବଂ ପରେ ଏହା ଉପକୂଳ କଡେ କଡେ ଉତର-ବଙ୍ଗୋପସାଗର ଆଡକୁ ଗତି କରିବ । ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ବାତ୍ୟା ଭୀଷଣ ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୧୯ ତାରିଖ ବେଳକୁ ଆମ୍ଫାନ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଖ ଉପକୂଳରେ ରହିଥାଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ୧୯ତାରିଖରୁ ଏହାର ତୀବ୍ରତା ଓଡିଶାରେ ସବୁଠାରୁ ଅଧିକ ଅନୁଭୂତ ହେବ ବୋଲି କୁହାଯାଉଛି ।

ବର୍ତମାନ କରାଯାଉଥିବା ପୂର୍ବାନୁମାନ ଅନୁସାରେ ଏହି ବାତ୍ୟା ପଶ୍ଚିମବଙ୍ଗ କିମ୍ବା ଓଡିଶା- ପଶ୍ଚିମବଙ୍ଗ ବର୍ଡର କିମ୍ବା ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ବର୍ଡରରେ ଲ୍ୟାଣ୍ଡଫଲ ଅର୍ଥାତ ସ୍ଥଳଭାଗ ଅତିକ୍ରମ କରିପାରେ । ଯେଉଁ ମୁହୂର୍ତ ସବୁଠାରୁ ବେଶୀ ବିପଦଜନକ । ଧୀରେ ଧୀରେ ସ୍ଥଳଭାଗକୁ ଆସିବା ପରେ ଏହା ଦୁର୍ବଳ ହୋଇଯାଏ । ତେବେ ଓଡିଶାରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଛି । ୟୁରୋପିଆନ ମଡେଲ ଇସିଏମଡବ୍ଲ୍ୟୁଏଫ କହୁଛି ।

ଏହି ବାତ୍ୟା ଓଡିଶାରେ ସ୍ଥଳଭାଗ ଅତିକ୍ରମ କରିପାରେ । ବ୍ରହ୍ମପୁର ଓ ପୁରୀ ଭିତରେ ବୁଧବାର ରାତିରେ ଲ୍ୟାଣ୍ଡଫଲ କରିପାରେ ବୋଲି ୟୁରୋପିଆନ ମଡେଲ ପୂର୍ବାନୁମାନ କରୁଛି । ଏହି ସଂସ୍ଥା କହୁଛି ମଙ୍ଗଳବାର ସନ୍ଧ୍ୟା ସୁଧା ବାତ୍ୟା ବିଶାଖପାଟନମ ଉପକୂଳର ନିକଟବର୍ତୀ ହେବ । ଏହା ପରେ ଉତର ଆଡକୁ ଦିଗ ବଦଳାଇବ । ଏବଂ ବୁଧବାର ରାତିରେ ଲ୍ୟାଣ୍ଡଫଲ କରିବ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଲ୍ୟାଣ୍ଡଫଲ ନେଇ କୌଣସି ପୂର୍ବାନୁମାନ କରିନାହିଁ ।

ଏବେ ନଜର ପକାନ୍ତୁ ଏହି ବାତ୍ୟା ଉପକୂଳର ନିକଟବର୍ତୀ ହେବା ପରେ ଏହାର ପ୍ରଭାବ ଓଡିଶା ଉପରେ କଣ ପଡିବ । ୧୮ ତାରିଖରୁ ମୁଖ୍ୟତଃ ଏହାର ପ୍ରଭାବ ପଡିବା ଆରମ୍ଭ ହେବ । ଏହି ଦିନଠାରୁ ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ହେବ । ୧୯ ତାରିଖରେ ବର୍ଷା ଆହୁରି ବଢ଼ିବ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ କଟକରେ ମଧ୍ୟ ବର୍ଷା ହୋଇପାରେ । ୨୦ ତାରିଖ ବେଳକୁ ଏହାର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହେବ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବିଭିନ୍ନ ମଡେଲ କରୁଥିବା ଆକଳନ ଅନୁସାରେ ୨୦ ତାରିଖ ସନ୍ଧ୍ୟାରେ ଏହା ଲ୍ୟାଣ୍ଡଫଲ କରିବ ଅର୍ଥାତ ସ୍ଥଳଭାଗ ଅତିକ୍ରମ କରିବ ।

ୟୁରୋପିଆନ ମଡେଲ ଇସିଏମଡବ୍ଲ୍ୟୁଏଫ ଏବଂ ଆଉ କିଛି ମଡେଲ କହୁଛନ୍ତି, ଏହି ବାତ୍ୟା ଓଡିଶାରେ ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସମେତ ବିଶ୍ୱର ଅନ୍ୟ ଭରସାଯୋଗ୍ୟ ପାଣିପାଗ ସଂସ୍ଥା କହୁଛନ୍ତି ବାତ୍ୟା ପଶ୍ଚିମବଙ୍ଗ କିମ୍ବା ଓଡିଶା- ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଙ୍ଗଲାଦେଶ ସୀମାରେ ଅତିକ୍ରମ କରିପାରେ । ଏବଂ ପବନର ବେଗ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।