ମଧ୍ୟରାତ୍ରରୁ ଆରମ୍ଭ ହେବ ଝଡବାତ୍ୟା ‘ଡାଏ’ର ତାଣ୍ଡବ ! ୬୦ରୁ ୮୦ କିଲୋମିଟର ବେଗରେ ବହିପାରେ ପବନ, ୫ଟି ଜିଲ୍ଲାକୁ ରେଡ ଆଲର୍ଟ

148

କନକ ବ୍ୟୁରୋ : ମାଡି ଆସୁଛି ଝଡବାତ୍ୟା । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରରେ ଝଡବାତ୍ୟାର ଆଶଙ୍କା ରହିଛି । ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ବର୍ତମାନ ଗୋପାଳପୁର ଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଝଡବାତ୍ୟା ରାଜ୍ୟର ୫ଟି ଜିଲ୍ଲାକୁ ପ୍ରଭାବିତ କରିବ । ଏହାକୁ ଦୃଷ୍ଟିରେ ରଖି ଗଂଜାମ ଓ ପୁରୀରେ୍ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ବିଦ୍ୟୁତ୍ ଓ ଜରୁରୀକାଳୀନ ସେବାର ପୁନଃ ସ୍ଥାପନ ପାଇଁ ପ୍ରସୁତ ରହିବାକୁ ନିର୍ଦେଶ ଦିଆଯାଇଛି । ସ୍ଥିତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ବାତ୍ୟାର ତୀବ୍ରତା ଅଧିକ ହେବାର ସମ୍ଭାବନା ନଥିବାରୁ ଭୟଭୀତ ନହୋଇ ସ୍ଥିତିର ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି । ଯେକୌଣସି ସ୍ଥିତିରେ ସହାୟତା ପାଇଁ ଏନ୍ଡିଆରଏଫ୍ ଓ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି ।

ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହୋଇଛି । ଏହା ଏବେ ଗୋପାଳପୁରଠାରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଉତର ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଏବଂ ପୁରୀ ଦେଇ ଗତି କରିପାରେ । ଏଥିସହ ଗୋପାଳପୁରରେ ଏହା ଭୁପୃ୍ଷ୍ଠକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରରୁ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ୫ଟି ଜିଲ୍ଲା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଝଡ ବାତ୍ୟା ନେଇ ୯ଟି ରାଜ୍ୟ ସମେତ ଓଡିଶାର କେତେକ ଜିଲ୍ଲା ପ୍ରବଳ ବର୍ଷା ନେଇ ସତର୍କ କରାଇ ଦିଆଯାଇଛି । ସ୍ଥିତି ଉପରେ ନଜର ରଖିବା ପାଇଁ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସତର୍କ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଝଡବାତ୍ୟାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଂଜାମ ଓ ପୁରୀ ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏହା ସେତେ ବଡ ବାତ୍ୟା ନୁହେଁ , ତେବେ ପ୍ରଶାସନ ଏହାର ମୁକାବିଲା ପାଇଁ ସଜାଗ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସମୂଦ୍ର ଅଶାନ୍ତ ଥିବାରୁ ଉଭୟ ଓଡ଼ିଶା ଏବଂ ଆନ୍ଧ ପ୍ରଦେଶର ତଟ୍ଟ ସୁରକ୍ଷାକର୍ମୀଙ୍କୁ ସତର୍କ କରାଇ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତର ଆନ୍ଧ୍ର ପ୍ରଦେଶରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶା, ଅଭ୍ୟନ୍ତରୀଣ ଆନ୍ଧପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ର ଅନେକ ସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।