‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ

384

କନକ ବ୍ୟୁରୋ: ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟଙ୍କ ୭୫ ବର୍ଷ ବୟସରେ ପରଲୋକ । ମଙ୍ଗଳବାର ରାତିରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ସାହାରା ଗ୍ରୁପ୍ର ମୁଖିଆ ସୁବ୍ରତ ରୟ ଗତ କିଛି ଦିନରୁ ରୋଗାଗ୍ରସ୍ତ ଥିଲେ । ମୁମ୍ବାଇର ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ମୃତ୍ୟୁ ପରେ ସୁବ୍ରତ ରୟଙ୍କ ବ୍ୟବସାୟିକ ଯାତ୍ରାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚର୍ଚ୍ଚା ହେବନି ବା କାହିଁ, ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ ହେବାର ତାଙ୍କ ଯାତ୍ରା ଏକ ରୋମାଂଚକର ସିନେମା ଠାରୁ କିଛି କମ୍ ନୁହେଁ ।

ଆଉ ନାହାଁନ୍ତି ଭାରତର ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟ । ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଆଖି ବୁଜିଛନ୍ତି । ଆଉ ତାଙ୍କ ମୃତ୍ୟୁ ପରେ ପୁଣି ଥରେ ସୁବ୍ରତ ରୟଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଯେତିକି ଅଦ୍ଭୁତ, ସେତିକି ରୋମାଂଚକର ଥିଲା ସାହାରା ଶ୍ରୀ ସୁବ୍ରତ ରୟଙ୍କ ଜୀବନ ଯାତ୍ରା । ଦିନ ଥିଲା ତାଙ୍କ କମ୍ପାନୀ ସାହାରା ବନିଯାଇଥିଲା ଦେଶର ସବୁଠାରୁ ବଡ କମ୍ପାନୀ । ଭାରତୀୟ ରେଳ ବିଭାଗ ପରେ ସବୁଠାରୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା କମ୍ପାନୀ । କ୍ରିଡା ଠାରୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରର ଦବଦବା ।
ସ୍ୱପ୍ନ ବିକି ଧନୀ ହୋଇଥିବା ସୁବ୍ରତ ରୟଙ୍କ ବ୍ୟବସାୟର ଯାତ୍ରା ଆରମ୍ଭ ହୋଇଥିଲା ଏକ ସାଇକେଲରୁ । ମାତ୍ର ୨ ହଜାର ଟଙ୍କାର ପୁଂଜି ଆଉ ପାଖରେ ଥିବା ସାଇକେଲ ଧରି ପ୍ରଥମେ ଚିଟ୍ ଫଣ୍ଡ କାମ ଆରମ୍ଭ କରିଥିଲେ ସୁବ୍ରତ ରୟ । ଟଙ୍କା କିଭଳି ଦୁଇ ଗୁଣା ହେବ ଏଭଳି ବଡ ବଡ ସ୍ୱପ୍ନ ନିମ୍ନ ମଧ୍ୟବିତ ଲୋକଙ୍କୁ ଦେଖାଇ ଟଙ୍କା ଆଦାୟ କଲେ । ବାସ ଏହିଠାରୁ ହିଁ ଆରମ୍ଭ ହେଲା କାରୋବାର

୧୦ଜୁନ୍ ୧୯୪୮ ମସିହା ବିହାରର ଆରାରିଆରେ ସୁବ୍ରତ ରୟଙ୍କ ଜନ୍ମ ହୋଇଥିବା ସୁବ୍ରତ ଉତର ପ୍ରଦେଶ ଗୋରଖପୁରରୁ ଆରମ୍ଭ କରିଥିଲେ ନିଜ ଚିଟ୍ଫଣ୍ଡ ସଂସ୍ଥାର ପରିକଳ୍ପନା । ତେବେ ନିଜ କ୍ୟାରିଅର ଆରମ୍ଭରୁ ନମ୍କିନ୍ ସ୍ନାକ୍ସ, ବିୟୁଟି ପ୍ରଟକ୍ଟ ଆଦି ବିକ୍ର କରୁଥିଲେ । ୧୯୭୮ରେ ଗୋରଖପୁରରେ ସାହାର କମ୍ପାନୀର ନିଅଁ ପକାଇଥିଲେ ସୁବ୍ରତ । ସାଇକେଲରେ ବୁଲି ବୁଲି ଲୋକଙ୍କ ପାଖରୁ ଟଙ୍କା ଆଦାୟ କରିବା ଓ ତାକୁ ନିବେଶ କରି ଡବଲ କରିବାର ସ୍ୱପ୍ନ ଦେଇଥିଲେ ଆଉ ପୂରଣ ବି କରିଥିଲେ ସୁବ୍ରତ । ଧିରେ ଧିରେ ସାହାରା ଭାରତର ଏକ ନମ୍ବର କମ୍ପାନୀ ଭାବେ ପ୍ରତିଷ୍ଠିତ ହେଲା । ଲକ୍ଷାଧିକ ଲୋକେ ଏହି କମ୍ପାନୀ ସହ ଯୋଡି ହୋଇଗଲେ । ଆଉ ଦେଖୁ ଦେଖୁ ସାହାରାଶ୍ରୀ ବନିଗଲେ ସୁବ୍ରତ ରୟ ।

ସାହାରା ଅନେକ ପ୍ରକାର ପୁଂଜି ନିବେଶ ପ୍ଲାନ୍ ଚଳାଉଥିଲା । ଅନ୍ୟ ବ୍ୟାଙ୍କ ତୁଳନାରେ ୩-୪ ପ୍ରତିଶତ ଅଧିକ ସୁଧ ଦେଉଥିଲା ସାହାରା କମ୍ପାନୀ । ଆଉ ବାର୍ଷିକ ୧୧-୧୨ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଉଥିଲା ସାହାରା । ଅନେକ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଭଲ ରିଟର୍ଣ୍ଣ ବି ମିଳିଥିଲା ।

ସବୁ ବ୍ୟବସାୟରେ ‘ସାହାରାଶ୍ରୀ’ଙ୍କ ଦବଦବା ସୁବ୍ରତ ରୟଙ୍କ ନେତୃତ୍ୱରେ ସାହାରା ପ୍ରାୟ ସବୁ କ୍ଷେତ୍ରରେ ବ୍ୟବସାୟ ବଢାଇଥିଲା । ତାଙ୍କ ସାମ୍ରାଜ୍ୟ ଫାଇନାନ୍ସ, ରିୟଲ ଇଷ୍ଟେଟ୍, ମିଡିଆ, ଏୟାରଲାଇନ୍ସ, ହସ୍ପିଟାଲିଟି ଆଦି ସବୁ କ୍ଷେତ୍ରରେ ସଫଳ ହୋଇଥିଲା ସାହାରା କମ୍ପାନୀ । ୧୯୯୧ରେ ଏୟାର ସାହାରର ସ୍ଥାପନା କରିଥିଲେ ସୁବ୍ରତ ରୟ । ୧୦ ହଜାର ଏକରରେ ବ୍ୟାପିଥିବା ଏମ୍ବ ଭ୍ୟାଲି ପ୍ରୋଜେକ୍ଟ ସୁବ୍ରତ ରୟଙ୍କ ସ୍ୱପ୍ନ ଥିଲା । ସାହାରା ଗ୍ରୁପ୍ ଟିମ୍ ଇଣ୍ଡିଆର ସ୍ପନ୍ସର୍ ବି ଥିଲା । କହିବାକୁ ଗଲେ ଦେଶରେ ବ୍ୟବସାୟର ସବୁଠାରୁ ବଡ଼ ନାଁ ଥିଲା ସାହାରା ।

ସୁବ୍ରତଙ୍କ ‘ସାହାରା’ କାହାଣୀ
– ୧୯୭୮ରେ ସାହାରା ଚିଟ୍ ଫଣ୍ଡ ସଂସ୍ଥାର ଆରମ୍ଭ
– ୧୯୯୧ରେ ‘ଏୟାର ସାହାରା’ର ସ୍ଥାପନା ୧୯୯୩ରୁ ଉଡାଣ ଆରମ୍ଭ
– ଲୋନାବଲା ସ୍ଥିତ ବିଶାଳ ‘ଏମ୍ବି ଭ୍ୟାଲି’ର ପରିକଳ୍ପନା ବି କରିଥିଲେ ସୁବ୍ରତ
– ୨୦୦୩ରେ ସାହାରା ନ୍ୟୁଜ୍ ଚ୍ୟାନେଲର ଆରମ୍ଭ
– ପରେ ଆଂଚଳିକ, ମନୋରଂଜନ ଭିତିକ ଚ୍ୟାନେଲ ଆଣିଲା ସାହାରା
– ‘ସାହାରା ୱାନ୍ ମୋସନ୍ ପିକ୍ଚର୍ସ’ ଚଳଚ୍ଚିତ୍ର ନିର୍ମାଣରେ ବଡ଼ ନାଁ
– ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଟିମ୍ର ସ୍ପନ୍ସର୍ ଥିଲା ସାହାରା

ଚିଟ୍ଫଣ୍ଡରୁ ବୀମା, କ୍ରୀଡା, ଏୟାର ଲାଇନ୍ସ, ହୋଟେଲ, ବିୟୁଟି ପ୍ରଡକ୍ଟ, ଗଣମାଧ୍ୟମ ସଂସ୍ଥା ସବୁ ଶିଳ୍ପରେ ପ୍ରବେଶ କରିଥିଲା ସାହାରା । ଆଉ ସାହାରା କମ୍ପାନୀ ଦେଶରେ ସର୍ବାଧିକ ନିଯୁକ୍ତି ବି ଦେଇଥିଲା । ଯେଉଁମାନେ ସୁବ୍ରତଙ୍କୁ ‘ସାହାରାଶ୍ରୀ’ ଭାବେ ସମ୍ବୋଧିତ କରୁଥିଲେ । ହେଲେ ୨୦୧୨ରେ ଠକେଇ ଅଭିଯୋଗ ପରଠାରୁ ସାହାରା ସ୍ଥିତି ଖରାପ ହେବାରେ ଲାଗିଲା । ଆଉ ଧିରେ ଧିରେ କମ୍ପାନୀ ଦେବାଳିଆ ହୋଇଗଲା ।