ଚକ୍ରବୃଦ୍ଧି ସୁଧ ଛାଡ଼ : ନଭେମ୍ବର ୫ ସୁଦ୍ଧା ଗ୍ରାହକଙ୍କୁ ମିଳିବ ଟଙ୍କା

606

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ନଭେମ୍ବର ୫ ସୁଦ୍ଧା ମୋରାଟୋରିଅମ୍‌ ସୁବିଧା ଦିଆଯାଇଥିବା ଛଅ ମାସର ଚକ୍ରବୃଦ୍ଧି ସୁଧ ବା ସୁଧ ଉପର ସୁଧ ଛାଡ଼ ସ୍କିମ୍‌କୁ ଲାଗୁ କରିବାକୁ ଦେଶର ସମସ୍ତ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି । ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଯେଉଁମାନେ ଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଅଛନ୍ତି ସେମାନେ ସମସ୍ତେ ଏହି ସ୍କିମ୍ ଲାଗୁ କରିବେ ।

ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିଛି । ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ଗ୍ରାହକମାନଙ୍କ ଖାତାରେ ଚକ୍ରବୃଦ୍ଧି ସୁଧ ଛାଡ଼ ବାବଦ ଟଙ୍କା ଜମା କରିବା ପ୍ରକ୍ରିୟା ଶେଷ କରିବାକୁ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି । ଏହି ସ୍କିମ୍‌ ଅଧୀନରେ ଗୃହ, ଶିକ୍ଷା, ଗାଡ଼ି, ଏମ୍ଏସ୍‌ଏମ୍ଇ, କଞ୍ଜ୍ୟୁମର ଡ୍ୟୁରେବଲ୍ ଓ କଞ୍ଜପ୍‌ସନ୍ ଋଣ ଓ କ୍ରେଡିଟ୍ କାର୍ଡ ଦେୟକୁ ସାମିଲ କରାଯାଇଛି । ୨୦୨୦ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ମଧ୍ୟରେ ‌ଯୋଗ୍ୟ ଗ୍ରାହକଙ୍କ ଖାତାରେ ସାଧାରଣ ସୁଧ ଓ ଚକ୍ରବୃଦ୍ଧି ସୁଧ ମଧ୍ୟରେ ରହିଥିବା ଅନ୍ତର ବାବଦ ରାଶିକୁ ଜମା କରିବା ଲାଗି ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି ।

ଚକ୍ରବୃଦ୍ଧି ସୁଧ ଛ‌ାଡ଼ ସ୍କିମ୍ ତୁରନ୍ତ ଲାଗୁ କରିବାକୁ ଗତ ଅକ୍ଟୋବର ୧୪ରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ । ଏହି ସ୍କିମ୍‌କୁ କିଭଳି ଲାଗୁ କରାଯିବ ତାହାର ମାର୍ଗଦର୍ଶିକାକୁ ଅକ୍ଟୋବର ୨୩ରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି । ସ୍କିମ୍ ଅନୁସାରେ ଗ୍ରାହକମାନେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ମୋରାଟୋରିଅମ୍‌ର ସୁବିଧା ନେଇଥିଲେ ମଧ୍ୟ ସେମାନଙ୍କ ଖାତାରେ ସୁଧ ଛାଡ଼ ବାବଦ ଟଙ୍କା ଜମା କରାଯିବ । ଯେଉଁମ‌ାନେ ମୋରାଟୋରିଅମ୍ ସୁବିଧା ଗ୍ରହଣ କରିନାହାନ୍ତି ସେମାନଙ୍କ ଖାତାରେ ମଧ୍ୟ ସୁଧ ଛାଡ଼ ଟଙ୍କା ଜମା କରାଯିବ । ଆର୍ଥିକ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଖାତାରେ ଟଙ୍କା ଜମା କରିବା ପରେ କେନ୍ଦ୍ର ସରକାରଙ୍କ ଠାରୁ ସେହି ଟଙ୍କା ପାଇବା ଲାଗି ଦାବି ଉପସ୍ଥାପନ କରିବେ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚ ୧ଠାରୁ ମୋରାଟୋରିଅମ୍ ସୁବିଧା ଘୋଷଣା କରାଯାଇଥିଲା । ଏହା ଇଚ୍ଛାଧୀନ ଥିଲା । କିଛି ଗ୍ରାହକ ଏହି ସୁବିଧା ଗ୍ରହଣ କରିଥିବା ବେଳେ ଅନ୍ୟମାନେ ସ୍ବାଭାବିକ ଭାବେ କିସ୍ତି ଶୁଝିବା ଜାରି ରଖିଥିଲେ । ଦୁଇଟି ପର୍ଯ୍ୟାୟରେ ଛଅ ମାସ ପାଇଁ ଗତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା । କିନ୍ତୁ ଏହି ସମୟର ଚକ୍ରବୃଦ୍ଧି ସୁଧ ଆଦାୟ କରାଯିବ ବୋଲି ଘୋଷଣା କରାଯିବା ପରେ ତାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । କେତେକ ଗ୍ରାହକ ଓ ଶିଳ୍ପ ସଂଘ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି କରି ଗ୍ରାହକଙ୍କୁ ସୁବିଧା ଦେବା ଲାଗି କୋର୍ଟ କହିଥିଲେ। କୋର୍ଟଙ୍କ ଚାପ ଯୋଗୁଁ ମୋରାଟୋରିଅମ୍ ସମୟର ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସରକାର ଘୋଷଣା କରିଥିଲେ ।