ଠକେଇର ନୂଆ ତରିକା । ଲୋନ୍ ଆପରେ ସାଇବର କ୍ରାଇମ୍ । ଠକି ହୋଇଗଲେ ଯୁବ ବ୍ୟବସାୟୀ ।

94

କନକ ବ୍ୟୁରୋ: ସୁନ୍ଦରଗଡ଼ର ଯୁବ ବ୍ୟବସାୟୀ ମହମ୍ମଦ ଖୁର୍ସିଦ । ବ୍ୟବସାୟରେ ହଠାତ୍ ଟଙ୍କା ଆବଶ୍ୟକ ପଡିବାରୁ ମୋବାଇଲ୍ ଲୋନ୍ ଆପ୍ ପ୍ରଲୋଭନରେ ପଡ଼ିଥିଲେ । ପ୍ଲେ ଷ୍ଟୋରରେ ଆପ୍ଲିକେସନ୍ ଡାଉନଲୋଡ୍ କରିବାର କିଛି ମିନିଟ୍ ଭିତରେ ୫ ହଜାର ଟଙ୍କା ଲୋନ୍ ମିଳିଯିବାରୁ ଆହୁରି ଆକୃଷ୍ଟ ହୋଇପଡ଼ିଲେ ଖୁର୍ସିଦ । କିନ୍ତୁ ସେ ଜାଣିନଥିଲେ ଠକାମୀର ଅକ୍ଟୋପସ୍ ମଧ୍ୟରେ ସେ ଧୀରେ ଧୀରେ ଫସି ଯାଇଛନ୍ତି ।

ଲୋନ୍ ନେବାର ଗୋଟିଏ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଗଲା ଜୁଲମ୍ । ବାରମ୍ବାର ପରିଶୋଧ ପାଇଁ ତାଗିଦ କରାଗଲା । ନହେଲେ ଅସଭ୍ୟ ଭାଷାରେ ଗାଳିଗୁଳଜ । କେବଳ ସେତିକି ନୁହେଁ, ଲୋନ୍ ଆପ୍ରୁଭ୍ ହେବା ସମୟରେ ଖୁର୍ସିଦଙ୍କ ମୋବାଇଲର କଣ୍ଟାକ୍ଟ ଲିଷ୍ଟ, ଫଟୋ ସବୁ କିଛି ହ୍ୟାକ୍ କରି ନିଆଯାଇଥିଲା । ଏହାକୁ ନେଇ ବ୍ଲାକ ମେଲିଂ କରାଯାଇଥିଲା ।

ଖୁର୍ସିଦଙ୍କ କହିବା କଥା, ସାଢ଼େ ୩ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ, ମାତ୍ର ୩ ମାସ ମଧ୍ୟରେ ପ୍ରାୟ ୮ ଲକ୍ଷ ଟଙ୍କା ସୁଝିବାକୁ ପଡ଼ିଛି । ତଥାପି ଜୁଲମ କମିନଥିଲା ବୋଲି ଅଭିଯୋଗ କରିଛନ୍ତି ଖୁର୍ସିଦ । ପରିସ୍ଥିତି ଏପରି ହୋଇଥିଲା ଯେ ଆତ୍ମହତ୍ୟା କରିବାକୁ ସେ ମନସ୍ଥ କରିଥିଲେ । ତେବେ ପୋଲିସ ଡାଳେ ଡାଳେ ଗଲେ ସାଇବର ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ମୋବାଇଲ୍ ଲୋନ୍ ଜରିଆରେ ସାଇବର ଠକାମୀ ମାତିଥିବା ନେଇ କିଛି ଦିନ ପୂର୍ବରୁ ପୋଲିସର ସାଇବର ସେଲ୍ ଏ ନେଇ ଆଡଭାଇଜରି ଜାରି କରି ସତର୍କ କରିଥିଲା ।