ରେକର୍ଡ ଛୁଇଁଲା ସାଇବର୍ ଅପରାଧ : ଗୋଟିଏ ବର୍ଷରେ ୧୫୦୦ ମାମଲା; ବିହାର, ଝାଡ଼ଖଣ୍ଡରୁ ଅପରାଧ ନିୟନ୍ତ୍ରଣ

83

କନକ ବ୍ୟୁରୋ : ହ୍ଵାଟ୍ସଆପ ମାଧ୍ୟମରେ କୌଣସି ସାଇବର ଅପରାଧ ଘଟିଲେ ସଂସ୍ଥା ରାଜ୍ୟ ପୁଲିସକୁ ତଥ୍ୟ ଯୋଗାଉ ନାହିଁ । ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଏବଂ ପେଟେମ, ଗୁଗୁଲ ପେ’ ଭଳି ପେମେଣ୍ଟ ଗେଟୱେ’ ଯଦିଓ ପୁଲିସକୁ ତଥ୍ୟ ଦେଉଛନ୍ତି, ତାହା କିନ୍ତୁ ସିଧାସଳଖ ଆସୁନାହିଁ । ଥାନା ଇନସ୍ପେକ୍ଟର ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ଚିଠି ଲେଖୁଛନ୍ତି । ସେମାନେ ସମ୍ପୃକ୍ତ ସଂସ୍ଥାକୁ ଚିଠି ଲେଖି ଘଟିଥିବା ସାଇବର ଅପରାଧ ସମ୍ପର୍କିତ ତଥ୍ୟ ମଗାଉଛନ୍ତି। ସେ ତଥ୍ୟ ପୁଣି ଏସପି/ଡିସିପିଙ୍କ ମାଧ୍ୟମରେ ଥାନାର ଇନ୍ସପେକ୍ଟରଙ୍କ ନିକଟରେ ପହଁଚୁଛି । ଏବେ ସାଇବର ଅପରାଧର ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବାପଛରେ ଏଭଳି ଲମ୍ବା ପ୍ରକ୍ରିୟା ମୂଳ କାରଣ ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚର ତଥ୍ୟ ମୁତାବକ ୨୦୧୯ ବର୍ଷରେ ପୂର୍ବ ବର୍ଷ ତୁଳନାରେ ସର୍ବାଧିକ ୧୪ ଶହ ୮୫ଟି ମାମଲା ହେଇଛି। ଏହା ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୨୫ ଶହ ୧୨ ସାଇବର ମାମଲାର ତଦନ୍ତ ନହୋଇ ପଡ଼ିରହିଛି। ଯେଉଁ ହାରରେ ଅପରାଧ ବୃଦ୍ଧି ପାଉଛି, ଆସନ୍ତାବର୍ଷ ରାଜ୍ୟରେ ସାଇବର ଅପରାଧ ସ୍ଥିତି ଭୟଙ୍କର ହେବା ନେଇ କ୍ରାଇମବ୍ରାଞ୍ଚ ସତର୍କ କରାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୦୧୫ରେ ୩୮୬ଟି ସାଇବର୍ ଅପରାଧ ମାମଲା ରାଜ୍ୟରେ ରୁଜୁ ହୋଇଥିଲା। ୨୦୧୬ରେ ୩୧୭ଟି, ୨୦୧୭ରେ ୮୨୪ଟି, ୨୦୧୮ରେ ୮୪୩ ରୁଜୁ ହୋଇଥିଲା। ପୁଲିସ ବିଭାଗର ଶେଷ ରିପୋର୍ଟ ଅନୁଯାୟୀ, ୨୦୧୯ ବର୍ଷରେ ସାଇବର୍ ଅପରାଧ ୧୪୮୫ ଛୁଇଁଛି। ଦୁଇ ଗୁଣ ସାଇବର ଅପରାଧ ଗୋଟିଏ ବର୍ଷ ଭିତରେ ବୃଦ୍ଧି ପାଇବା ପରେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ରେ କେବଳ ଏଟିଏମ ମାଧ୍ୟମରେ ୩୩୧ଟି ଠକେଇ ହୋଇଛି। ଅନଲାଇନ୍ ବ୍ୟାଙ୍କ ଠକେଇ ୫୪୫ଟି, ୭୩୬ଟି ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଏବଂ ଭିଡିଓ ସେୟାର କରିବା ନେଇ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ସାଇବର୍ ଠକେଇ ୯୫୬ଟି ଏବଂ କ୍ରେଡିଟ ଓ ଡେବିଟ୍ କାର୍ଡ ଠକେଇ ୫୦ଟି ମାମଲା ରୁଜୁ ହୋଇଛି। ଏଥିରେ ବ୍ୟକ୍ତିଗତ ପ୍ରତିଶୋଧକୁ ଆଧାର କରି ୨୪ଟି ମାମଲା ଓ ଠକେଇ ଉଦ୍ଦେଶ୍ୟ ୧ ହଜାର, ବଟି ଆଦାୟ ଉଦ୍ଦେଶ୍ୟରେ ୨୭୯ ଏବଂ ମହିଳାଙ୍କୁ ଯୌନ ଶୋଷଣ ଉଦ୍ଦେଶ୍ୟରେ ୧୩୬ଟି ସାଇବର୍ ଅପରାଧ ଘଟିଛି। ପୂର୍ବ ବର୍ଷ ଏବଂ ୨୦୧୯ ବର୍ଷକୁ ମିଶାଇ ୨୫ଶହ ୧୨ ମାମଲା ପଡ଼ିରହିଛି ।

ଏବେ ସାଇବର ଅପରାଧ ବିହାର, ଝାଡ଼ଖଣ୍ଡ ବାଦ ଦିଲ୍ଲୀ, ଉତ୍ତରପ୍ରଦେଶରୁ ନିୟନ୍ତ୍ରଣ ହେଲାଣି। ଓଡ଼ିଶା ପୁଲିସ ରାଜ୍ୟ ବାହାରର ସାଇବର ଅପରାଧୀଙ୍କୁ ଧରିବାରେ ପ୍ରମୁଖ ସମସ୍ୟା ହେଉଛି ଅପରାଧୀଙ୍କ ଜାଲ ପରିଚୟ ପତ୍ରରେ ବ୍ୟବହୃତ ସିମ କାର୍ଡ ଏବଂ ଜାଲି ବ୍ୟାଙ୍କ ଆକାଉଣ୍ଟ। ପୁଲିସ ଏହି ଠିକଣାରେ ପହଁଚିଲା ବେଳକୁ ସେଭଳି କୌଣସି ଲୋକଙ୍କ ପତ୍ତା ମିଳୁ ନାହିଁ ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁଯାୟୀ, ୧୦ ବର୍ଷ ତଳେ ସାଇବର ମାମଲା ନଥିଲା। ପ୍ରାୟ ୧୭ରୁ ୧୮ଟି ମାମଲା ରୁଜୁ ହେଉଥିଲା। ଏବେ ଅନଲାଇନ୍ ଆର୍ଥିକ କାରବାର ହେଉ କିମ୍ବା ସୋସିଆଲ୍ ମିଡିଆ, ଅଧିକ ବ୍ୟବହାର ହେଉଥିବାରୁ ଅପରାଧ ବୃଦ୍ଧି ଘଟିଛି । ୨୦୨୧ ବେଳକୁ ସାଇବର୍ ଅପରାଧ ଆହୁରି ବୃଦ୍ଧି ପାଇବ। ସାଇବର୍ କ୍ରାଇମର ତଦନ୍ତ ଏକୁଟିଆ କରାଯାଏ ନାହିଁ। ତଦନ୍ତରେ ବ୍ୟାଙ୍କ, ଫେସବୁକ, ଟୁଇଟରର ସହଯୋଗ ରହିବା ବି ଆବଶ୍ୟକ ବୋଲି ସେ କହିଛନ୍ତି ।