କନକ ବ୍ୟୁରୋ : ଋଣ ଦେବା ନାଁରେ ଟଙ୍କା ଲୁଟ୍ କରୁଥିବା ବିହାରର ଦୁଇ ଠକ ଭାଇଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଘର ଭିତରେ କଲ ସେଣ୍ଟର କରି ଠକୁଥିଲେ ଦୁଇ ଭାଇ ସମସାଦ ଉଦ୍ଦିନ୍ ଓ ମହମ୍ମଦ ଅଫତାର ଉଦ୍ଦିନ୍ । ଏମାନଙ୍କ ନିକଟରୁ ୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି । ଏଥିରେ ତିନି କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଭାଇଙ୍କ ଜାଲରେ ପଡ଼ିଥିଲେ କଟକ ସମେତ ଦେଶର ବିଭିନ୍ନ ରାଜ୍ୟର ଲୋକେ । ବଡ଼ କଥା ହେଉଛି ବଡ଼ ଭାଇ ଏମ୍ବିଏ ଛାତ୍ର ଓ ସାନ ଭାଇ ବିସିଏ କରୁଥିଲା ।

Advertisment

ଅଭିଯୋଗ ଅନୁସାରେ ୨୦୧୯ ମାର୍ଚ୍ଚରେ ମଙ୍ଗଳାବାଗ ବକ୍ସିବଜାର ଅଞ୍ଚଳର ବିଜୟ ସିଂହଙ୍କୁ ଏକ ଫୋନ୍ ଆସିଥିଲା । ଦିଲ୍ଲୀ ରିଲାଏନ୍ସ କ୍ୟାପିଟାଲ୍ସ ଫିଲ୍ଡ ମ୍ୟାନେଜର ବିକାଶ ଜୈନ ପରିଚୟ ଦେଉଥିବା ଜଣେ ବ୍ୟକ୍ତି ନିକଟରୁ ଏହି ଫୋନ୍ କଲ ଆସିଥିଲା । ଭାରତୀ ଏକ୍ସା ଜୀବନ ବୀମା ଥିଲେ ୫ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ । ଏହି ଫୋନ୍ ପାଇବା ପରେ ବିଜୟ ଭାରତୀ ଏକ୍ସା ଜୀବନ ବୀମା କରିଥିଲେ । ବୀମା କମ୍ପାନୀ ନିକଟରୁ ବଣ୍ଡ ମିଳିବା ପରେ ସେ ବିକାଶ ଜୈନଙ୍କୁ ଫୋନ୍ କରିଥିଲେ । ବିକାଶ ବିଭିନ୍ନ ଆଳ ଦେଖାଇ ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ବିଜୟ ସାଇବର ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଆକାଉଂଟ ଯାଂଚ କରିବା ପରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି ।