ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।

494

କନକ ବ୍ୟୁରୋ : ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଅଧ୍ୟାପକ ଅଜୟ କୁମାର ତ୍ରିପାଠୀ । ଅଜୟଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ୧୫୦ଜଣ ଲୋକଙ୍କୁ ଫେସବୁକ ମେସେଞ୍ଜରରେ ଟଙ୍କା ମାଗିଛି । ଗୋଟିଏ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରେ ଗୁଗୁଲ ପେ ଏବଂ ଫୋନ ପେ ରେ ଟଙ୍କା ପଠାଇବା ପାଇଁ କହୁଥିଲା ହ୍ୟାକର ।

ତେବେ ଅଜୟଙ୍କ କିଛି ବନ୍ଧୁ ଏ ସମ୍ପର୍କରେ ତାଙ୍କୁ ପଚାରିବା ପରେ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡିଥିଲା । ଅଜୟଙ୍କ କିଛି ବନ୍ଧୁ ମଧ୍ୟ ହ୍ୟାକର ପାଖକୁ ଟଙ୍କା ପଠାଇଥିବା ଜଣାପଡିଛି । ଏନେଇ ଅଜୟ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ଦିନକୁ ଦିନ ସାଇବର ଅପରାଧ ଏବଂ ଠକେଇ ମାମଲା ବଢି ବଢି ଚାଲିଛି । ଆଉ ଏଭଳି କ୍ଷେତ୍ରରେ ଆପଣଙ୍କୁ ଅଧିକ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହୁଛି । ଯଦି ଏଭଳି କିଛି ଘଟଣା ଘଟୁଛି ତେବେ ତୁରନ୍ତ ଆଇନର ଆଶ୍ରୟ ନିଅନ୍ତୁ, ପୋଲିସକୁ ଅବଗତ କରାନ୍ତୁ ।