ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । କେବଳ ରାଜଧାନୀରେ ୭ ମାସରେ ଠକି ନେଲେ ୭ କୋଟିରୁ ଅଧିକ ।

111

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ଯଦି ଗତ ୭ ମାସର ରିପୋର୍ଟକୁ ଦେଖାଯାଏ ତାହା ହେଲେ ଏହି ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଚଳିତ ବର୍ଷ ଆରମ୍ଭରୁ ଏବେ ସୁଦ୍ଧା ବିଭିନ୍ନ ଉପାୟରେ ପାଖାପାଖି ୮ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ଏତେ ଟଙ୍କା ଲୁଟ ହୋଇଥିଲେ ବି ପୁଲିସ ଆଦାୟ କରିପାରିଛି ମାତ୍ର ୬୧ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ ଆଦାୟ ଟଙ୍କା ମଧ୍ୟରୁ ପାଖାପାଖି ୧୯ ଲକ୍ଷ ଟଙ୍କା ବ୍ଲକ୍ ହୋଇଛି ।

  • ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା
  • ୭ ମାସରେ ଲୁଟିନେଲେଣି ୮ କୋଟି ଟଙ୍କା

କେବଳ ରାଜଧାନୀ ଭୁବନେଶ୍ୱରରେ ଗତ ୭ ମାସରେ ସାଇବର ଲୁଟେରା ଲୋକଙ୍କ ଠାରୁ ବେଧଡକ ଲୁଟ୍ କରିିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ରାଜଧାନବାସୀଙ୍କୁ ଚୁନା ଲଗାଇଛନ୍ତି ଏହି ଅଦୃଶ୍ୟ ଲୁଟେରା । ସାଇବର ଥାନାରେ ମାମଲା ହେଉଛି କିନ୍ତୁ ଟଙ୍କା ଫେରିବା ପରିମାଣ କମ ରହୁଛି । ସାଇବର ଲୁଟ ନେଇ କମିସନରେଟ ପୁଲିସର ସୂଚନା ଚମକେଇ ଦେଲା ଭଳି । ନଜର ପକାନ୍ତୁ ଏହି ତଥ୍ୟ ଉପରେ…

ରାଜଧାନୀରେ ସାଇବର ଠକେଇ
ଜୁଲାଇ ମାସ

  • ଗତ ଜୁଲାଇ ମାସରେ ୧କୋଟି ୩୮ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି
  • ସେଥିମଧ୍ୟରୁ ଲୋକଙ୍କ ପାଖକୁ ଫେରିଛି ୧୧ ଲକ୍ଷ ୩୯ ହଜାର ଟଙ୍କା
  • ୧୮ ଲକ୍ଷ ୯୮ ହଜାର ଟଙ୍କାକୁ ବ୍ଲକ କରାଯାଇଛି

ରାଜଧାନୀରେ ସାଇବର ଠକେଇ
ଜୁନ ମାସ

  • ଜୁନ ମାସରେ ଲୁଟ ହୋଇଥିଲା ୧ କୋଟି ୬ ଲକ୍ଷ ଟଙ୍କା
  • ଲୋକଙ୍କ ପାଖକୁ ଫେରିଛି ୫ ଲକ୍ଷ ୩୬ ହଜାର ଟଙ୍କା
  • ବ୍ଲକ ହୋଇଛି ୩ ଲକ୍ଷ ୪୬ ହଜାର ଟଙ୍କା

ରାଜଧାନୀରେ ସାଇବର ଠକେଇ
ଜାନୁୟାରୀ- ଜୁଲାଇ

  • ଜାନୁୟାରୀରୁ ଜୁଲାଇ ମଧ୍ୟରେ ୭ କୋଟି ୭୯ ଲକ୍ଷ ୩୮ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା
  • ଫେରିପାଇଥିବା ଓ ବ୍ଲକ ହୋଇଥିବା ଟଙ୍କାର ମୂଲ୍ୟ ୬୧ ଲକ୍ଷ ଟଙ୍କା
  • ଏହି ୭ ମାସରେ ସାଇବର ଥାନାରେ ୩୦ଟି ମାମଲା ରୁଜୁ, ୩୦ ଅଭିଯୁକ୍ତ ଗିରଫ

ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଟଙ୍କା ଲୁଟି ଚାଲିଛନ୍ତି ସାଇବର ଲୁଟେରା । କେତେ ବେଳେ ନ୍ୟୁଡ କଲ କରି ବ୍ଲାକମେଲିଂ, କେବେ ଆପ୍ସ ଇନଷ୍ଟଲ କରିବାକୁ କହି, ପୁଣି କେବେ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ବ୍ଲକ ହୋଇଯିବାର ଭୟ ଦେଖାଇ କେୱାସି ଅପଡେଟର ବାହାନାରେ ତଥ୍ୟ ହାସଲ ପରେ ଆକାଉଣ୍ଟ ଖାଲି କରି ଦେଉଛନ୍ତି ଦୁର୍ବୃତ୍ତ ।

ରାଜଧାନୀରେ ପ୍ରତି ମାସରେ ପାଖାପାଖି ଏକ କୋଟି ଟଙ୍କା ଠକେଇ ହେଉଥିବା କମିସନରେଟ ପୁଲିସର ତଥ୍ୟ କହୁଛି । ଯଦି ରାଜଧାନୀରେ ସ୍ଥିତି ଏପରି ତେବେ ସାରା ରାଜ୍ୟରେ ସ୍ଥି୍ତି କଣ ହେଇଥିବ ସହଜରେ ଅନୁମାନ କରିହେଉଛି ।