କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ବେଲପାହାଡ ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି । ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ଗାନ୍ଧୀନଗରର ନିତା ଛତର ବୋଲି ଜଣା ପଡିଛି । ଖବର ଅନୁସାରେ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ କୋନ ବନେଗା କରୋଡପତିର ସଦସ୍ୟ ହିସାବରେ ପରିଚୟ ଦେଇ ନିତାଙ୍କୁ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲା ।
ଏହାପରେ ୨୪ ତାରିଖ ପୁଣି ଏକ ଆକାଉଂଟ ନମ୍ବର ଦେଇ ୧୮ହଜାର ୨ଶହ ଟଙ୍କା ଜମା କରିବାକୁ କହିଥିଲା । ନିତା ଏହି ଟଙ୍କା ଜମା ବି କରିଥିଲେ । ଏହାପରେ ସାଇବର ଠକ ପୁଣି ନିତାକୁ ଫୋନ କରି ୩୫ ହଜାର, ୩୧ ହଜାର ଓ ୫ ହଜାର ଟଙ୍କା ଜମା କରିବା ପରେ ଆକାଉଂଟକୁ ୩୫ ଲକ୍ଷ ଆସିବ ବୋଲି କହିଥିଲା । ନିତା ଏଥିରେ ରାଜି ହୋଇ ଗତ ୨୪ ତାରିଖ ଦିନ ସାଇବର ଠକ ମାଗିଥିବା ସମସ୍ତ ଟଙ୍କା ପୈଠ କରିଥିଲେ ।
ଏହିଭଳି ଭାବେ ସାଇବର ଠକ ବାରମ୍ବାର ନିତାଙ୍କୁ ଟଙ୍କା ମାଗି ଚାଲିଥିଲା । ହେଲେ ତାଙ୍କ ପାଖକୁ କୌଣସି ଲଟେରୀ ପଇସା ଆସିଲା ନାହିଁ । ଶେଷରେ ନିତା ଠକେଇର ଶୀକାର ହୋଇଥିବା ବୁଝିପାରି ବୋଲପାହାଡ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ଲୋଭ ଦେଖାଇ ଜଣେ ଦିନ ମଜୁରିଆଙ୍କ ଜୀବନ ସାରାର ଜମା ପୁଞ୍ଜି ମାତ୍ର ୨ ଦିନରେ ସଫା କରିଦେଇଛନ୍ତି ସାଇବର ଠକ ।