କନକ ବ୍ୟୁରୋ : ଠକମାନେ ଫୋନ୍ କରି ଏକାଧିକ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିନେଉଥିବା ଖବର ସବୁଦିନ ସାମ୍ନାକୁ ଆସୁଛି । ତେଣୁ ଆପଣ ମଧ୍ୟ ଏଭଳି ଠକଙ୍କ ହାବୁଡରେ କେମିତି ନପଡିବେ ସେଥିପାଇଁ ଚିନ୍ତାରେ ଥିବେ । ବିଶେଷ କରି ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ ସକ୍ରିୟ ଥିବା ଖବର ପରେ ଚିନ୍ତା ବଢି ଯାଇଛି । ପ୍ରାୟ ୧୦ ଦିନର ଅପରେସନ୍ ଓ ଛକାପଞ୍ଝା ପରେ ଠକ ଗ୍ୟାଙ୍ଗର ୩ ଜଣ ଧରା ପଡିଛନ୍ତି । ବିଶେଷ କରି ଏମାନେ ବିଭିନ୍ନ ଉପାୟରେ ଲୋକଙ୍କ ମୋବାଇଲ ଫୋନ ସଂଗ୍ରହ କରି ସେମାନଙ୍କୁ ଫୋନ କରୁଥିଲେ ଓ ବ୍ୟାଙ୍କ ତଥ୍ୟ ହାସଲ କରି ଟଙ୍କା ଉଡାଇ ନେଉଥିଲେ ।
ଦିନକୁ ଦିନ ସାଇବର ଅପରାଧ ବଢି ଚାଲିଥିବାବେଳେ ଏଭଳି ଗ୍ୟାଙ୍ଗ ଧରା ପଡିବା ସାଇବର ପୋଲିସ ପାଇଁ ବଡ ସଫଳତା । ହେଲେ ସାଇବର ବିଶେଷଜ୍ଞ କହିଛନ୍ତି ଏମାନେ କେମିତି ଅପରେଟ୍ କରନ୍ତି । ବିଶେଷ କରି ସପିଂ ମଲ, ରେଷ୍ଟୁରାଂଟ କିମ୍ବା ଅନ୍ୟ ବ୍ୟବସାୟିକ ସଂସ୍ଥାରେ ଆପଣ ଅଜଣା ଲୋକଙ୍କୁ ମୋବାଇଲ ନମ୍ବର ଦେଲେ ଏହାକୁ ହାସଲ କରିନିଅନ୍ତି ଏହି ଅପରାଧୀ । ଆଉ ତା ପରେ ମୋବାଇଲ ନମ୍ବର ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତା କିମ୍ବା ଅନଲାଇନ ଟ୍ରାଞ୍ଜାକ୍ସନ ଆପରୁ ଟଙ୍କା ଗାଏବ କରିଦିଅନ୍ତି । ତେଣୁ ସାଇବର ବିଶେଷଜ୍ଞଙ୍କ କହିବା ହେଲା ମଲରେ ଦିଅନ୍ତୁ ନାହିଁ ମୋବାଇଲ ଫୋନ୍ ।
ଠକ ଗ୍ୟାଙ୍ଗର ତିନିଟି ୟୁନିଟ୍
ପ୍ରଥମ ୟୁନିଟର କାମ
- ବିଭିନ୍ନ ଡାଟାବେସ୍ ପ୍ରଦାନକାରୀ ସଂସ୍ଥାଠାରୁ ଲୋକଙ୍କ ତଥ୍ୟ ସଂଗ୍ରହ
- କଲ ସେଂଟର, ସର୍ଭିସ ପ୍ରଭାଇଡରଙ୍କଠାରୁ ଲୋକଙ୍କ ତଥ୍ୟ ହାସଲ
- ଇଂଟରନେଟ୍ ୱେବସାଇଟରୁ ବିଭିନ୍ନ ବର୍ଗର ଲୋକଙ୍କ ତଥ୍ୟ ଚୋରି
ଦ୍ୱିତୀୟ ୟୁନିଟର କାମ
- ତଥ୍ୟ ମିଳିବା ପରେ ତାଲିମପ୍ରାପ୍ତ କଲର ଫୋନ୍ କରି ଠକେଇର ଜାଲ ବୁଣନ୍ତି
- ଜଣେ କଲର ପ୍ରତିଦିନ ଅନୁନ୍ୟ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଫୋନ୍ କରନ୍ତି
- ଅଧିକାଂଶ ଲୋକ ଠକ ବୋଲି ଜାଣିପାରି ଫୋନ୍ କାଟନ୍ତି ଓ ୫ରୁ ୧୦ ଜଣ ଫସନ୍ତି
ଶେଷ ୟୁନିଟର କାମ
- ଶେଷ ୟୁନିଟ୍ ଲୋକଙ୍କ ବ୍ୟାଙ୍କ ଆକାଉଂଟ୍ ଓ ଇ-ପେମେଂଟ୍ ସହ ଡିଲ କରନ୍ତି
- ମିଳିଥିବା ତଥ୍ୟ ଆଧାରରେ ଗରିବ ଓ ଅଜଣା ଲୋକଙ୍କ ନାଁରେ ଆକାଉଂଟ ଖୋଲନ୍ତି
- ଫେକ୍ ଆଇଡି ଓ ଅନଲାଇନ୍ ପେମେଂଟ ଆକାଉଂଟ ଖୋଲି ଟଙ୍କା ଉଡାଇ ନିଅନ୍ତି
ଠକ କେଉଁଠୁ ପାଆନ୍ତି ଲୋକଙ୍କ ତଥ୍ୟ ?
- ଆଉଟସୋର୍ସିଂ ଓ କଷ୍ଟମର କେୟାର ସଂସ୍ଥା ସହ ନିୟମିତ ଯୋଗାଯୋଗରେ ରହୁଥିଲେ
- ପଶ୍ଚିମବଙ୍ଗ କୋଲକାତାର ସଲ୍ଟ ଲେକ୍ ସିଟିରେ ରହିଛି ଏଭଳି ପୁଳାପୁଳା ସଂସ୍ଥା
- ଏହି ସଂସ୍ଥା ପାଖରେ ରହୁଛି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର କୋଟି କୋଟି ଗ୍ରହକଙ୍କ ତଥ୍ୟ
- ସଂସ୍ଥାର କିଛି ଅସାଧୁ କର୍ମଚାରୀ ଲୋକଙ୍କ ଗୋପନୀୟ ତଥ୍ୟ ଠକଙ୍କୁ ବିକ୍ରି କରୁଥିଲେ
- ମିଳିଥିବା ସୂଚନା ଅନୁସାରେ ‘ଡାର୍କ ୱେବ୍’ରେ ମଧ୍ୟ ଲୋକଙ୍କ ସବୁ ତଥ୍ୟ ଉପଲବ୍ଧ
- ବିଭିନ୍ନ ସପିଂ ମଲ ଓ ବ୍ୟବସାୟିକ ସଂସ୍ଥାରେ ଗ୍ରାହକ ଦେଉଥିବା ମୋବାଇଲ ନମ୍ବର ବିକ୍ରି ହେଉଛି
- ଠକ ଗ୍ୟାଙ୍ଗ ଧରା ପଡିବା ପରେ ଏଭଳି ସଂସ୍ଥା ଏବେ କ୍ରାଇମବ୍ରାଂଚ୍ ସ୍କାନରରେ ଅଛନ୍ତି
ବିମାନରେ ବୁଲୁଥିଲେ
ହୋଟେଲରେ ରହୁଥିଲେ
- ଲୋକଙ୍କଠୁ ଟଙ୍କା ଲୁଟି ବିଳାସପୂର୍ଣ୍ଣ ଜୀବନ ବଂଚୁଥିଲେ ଠକ ଗ୍ୟାଙ୍ଗ ସଦସ୍ୟ
- ବିମାନରେ ଦେଶସାରା ବୁଲି ବଡ ବଡ ହୋଟେଲରେ ରାତି ବିତାଉଥିଲେ
- ଲୁଟ୍ ଟଙ୍କାରେ କିଣୁଥିଲେ ଆପଲ ଆଇଫୋନ୍-୧୨ ଓ ଦାମୀ ସାମଗ୍ରୀ
- ଗିରଫ ଠକଙ୍କ ପାଖରୁ ମିଳିଛି ପୁରୀ ସି-ବିଚ୍ ପାଖ ହୋଟେଲର ବିଲ
- ଅନଲାଇନ୍ ସପିଂ ସାଇଟରୁ କିଣୁଥିଲେ ଦାମୀ ଗିଫ୍ଟ ଭାଉଚର
- ସଂପର୍କୀୟ, ସାଙ୍ଗ ଓ ଚିହ୍ନା ପରିଚୟଙ୍କ ଆକାଉଂଟକୁ ପଠାଉଥିଲେ ଲୁଟ୍ ଟଙ୍କା
- ନବମ ଯାଏଁ ପାଠ ପଢି ବି ସାଇବର ଜ୍ଞାନରେ ଥିଲେ ମାହିର
- ଅଳ୍ପ ଶିକ୍ଷା ଦିକ୍ଷା ଥାଇ ବି ବହୁ ବଡବଡିଆଙ୍କୁ ଲୁଟିବାକୁ ବିଛାଉଥିଲେ ଜାଲ